ନୂଆପଡ଼ା : ( ସୁରେଶ ଦଣ୍ଡସେନା )
ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ସହ ପ୍ରଶାସନିକ ସେବାକୁ ଅଧିକ ଲୋକାଭିମୁଖୀ କରିବା ଲକ୍ଷ୍ୟରେ କୋମନା ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଜିଲ୍ଲାପାଳ ଅନ୍ୟା ଦାସ ଓ ଆରକ୍ଷୀ ଅଧୀକ୍ଷକ ତପନ ନାରାୟଣ ରଥଙ୍କ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ମୋଟ ୬୦ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୪୭ଟି ବ୍ୟକ୍ତିଗତ ଓ ୧୩ଟି ଗୋଷ୍ଠୀଗତ ଅଭିଯୋଗ ରହିଥିଲା।ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟେକ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣିବା ସହ ସେଗୁଡ଼ିକର ତ୍ୱରିତ ଓ ଉପଯୁକ୍ତ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏହି ଅବସରରେ ବସୁନ୍ଧରା ଯୋଜନା ଅଧୀନରେ ୫ ଜଣ ଭୂମିହୀନ ପରିବାରଙ୍କୁ ଘରଡିହ ପଟ୍ଟା ପ୍ରଦାନ କରାଯାଇଥିଲା।ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସହ ଆୟୁଷ୍ମାନ ଆରୋଗ୍ୟ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା।ଶିବିରରେ ବନଖଣ୍ଡ ଅଧିକାରୀ ଅଜିଜ ଖାଁ,ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଇଶାନୀ ମିତ୍ର, ଉପଜିଲ୍ଲାପାଳ ସୁର୍ମି ସୋରେନ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର ଓ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ଡେପୁଟି ଜିଲ୍ଲାପାଳ ଶେଖ ନସୀମ, ବିଡିଓ ପବିତ୍ର କୁମାର ସାମଲ ଓ ତହସିଲଦାର ସୌରଭ କୁମାର ବିଶି ଶିବିର ପରିଚାଳନାରେ ସହଯୋଗ କରିଥିଲେ।ଏଥିରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ, ଲାଇନ୍ ବିଭାଗର ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
