ନୂଆପଡ଼ା : ( ସୁରେଶ ଦଣ୍ଡସେନା )
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବରଗାଁ ଛକ ନିକଟ ୩୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ସଡ଼କ ଦୁର୍ଘଟଣା, ବାଇକ ଧକ୍କା ଯୋଗୁଁ ବୃଦ୍ଧଙ୍କ ମୃତ ହୋଇଛି।ମୃତ ବୃଦ୍ଧ ଜଣକ ବେନ୍ଦ୍ରାବାହାଲ ଗ୍ରାମର ସୁଜା ପୋଡ଼ଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ପୋଡ଼ ବୋଲି ଜଣାପଡ଼ିଛି। ପଲସଦ ଗ୍ରାମର ତୁଳସୀ ପୂଜାରୀଙ୍କ ପୁଅ ରୁଦ୍ର ପୂଜାରୀ (ବାଇକ୍ ନମ୍ବର: ଓଡ଼ି ୨୬ ଜେ ୨୭୧୪ ) ଯୋଗେ ଦ୍ରୁତଗତିରେ ଯାଉଥିବା ସମୟରେ ବରଗାଁ ଛକ ପାଖରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଶକ୍ତ ଧକ୍କା ଦେଇଥିଲେ।ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବୃଦ୍ଧ ଜଣକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି।ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ଦମକଳ ଗାଡ଼ି ଘଟଣାସ୍ଥଳ ଅଭିମୁଖେ ବାହାରିଥିଲେ ମଧ୍ୟ, ସ୍ଥିତିର ଗମ୍ଭୀରତାକୁ ଦେଖି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ତାଙ୍କୁ ଏକ ବୋଲେରୋ ଗାଡ଼ି ଯୋଗେ ତୁରନ୍ତ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ଖଡ଼ିଆଳ ଏସଡିପିଓ ଉପେନ୍ଦ୍ର କୁମାର ପ୍ରଧାନ, ଥାନା ଅଧିକାରୀ ରଶ୍ମିତା ପ୍ରଧାନ ଏବଂ ଏସଆଇ ସହଦେବ ଯୋଶୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ଜବତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।ଏନେଇ ଖଡ଼ିଆଳ ଥାନାରେ କେସ୍ ନମ୍ବର ୪୪୩/୨୦୨୬ ଅନୁଯାୟୀ ଭାରତୀୟ ନ୍ୟାୟ ସଂହିତାର ଧାରା ୨୮୧ ଓ ୧୦୬(୧) ରେ ଏକ ମାମଲା ରୁଜୁ ହୋଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
