ନୂଆପଡ଼ା : ( ସୁରେଶ ଦଣ୍ଡସେନା )
ନୂଆପଡ଼ା ଜିଲ୍ଲାରେ ୨୦୨୬-୨୭ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ, ସୁବ୍ୟବସ୍ଥିତ ଓ ଚାଷୀଙ୍କ ପାଇଁ ସୁବିଧାଜନକ କରିବା ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଆଜି ଜିଲ୍ଲାପାଳ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛିlବୈଠକରେ କଳାହାଣ୍ଡି ସାଂସଦ ମାଲବିକା ଦେବୀ, ନୂଆପଡ଼ା ବିଧାୟକ ଜୟ ଢୋଲକିଆ,ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଳି ମାଝୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁବାଷ ଚନ୍ଦ୍ର ରଇତ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜିତ ନାୟକ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ଜିଲ୍ଲା କୃଷି ଅଧିକାରୀ, ଯୋଗାଣ, ସମବାୟ, ଜଳସେଚନ, ଏଫ୍ସିଆଇ, ଆର୍ଏମ୍ସି ଓ ବ୍ୟାଙ୍କ ବିଭାଗର ଅଧିକାରୀଙ୍କ ସମେତ ଚାଷୀ ଓ ମିଲର୍ ପ୍ରତିନିଧିମାନେ ଯୋଗଦେଇଥିଲେ।ଚଳିତ ଖରିଫ ଋତୁରେ ଜିଲ୍ଲାରେ ମୋଟ ୫୭,୫୪୨ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକୃତ ହୋଇଛନ୍ତି।ଗତବର୍ଷର ୫୧,୩୪୧ ଜଣ ପଞ୍ଜୀକୃତ ଚାଷୀଙ୍କ ତୁଳନାରେ ଏଥର ୬,୨୦୧ ଜଣ ଅଧିକ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ପଞ୍ଜୀକରଣରେ ୧୨.୦୮ ପ୍ରତିଶତ ବୃଦ୍ଧି ଘଟିଛି।ଜିଲ୍ଲାର ୨୬ଟି ପ୍ୟାକ୍ସ ଅଧୀନରେ ୭୭ଟି ଧାନ ସଂଗ୍ରହ କେନ୍ଦ୍ର (ପିପିସି) ତଥା ମଣ୍ଡି ମାଧ୍ୟମରେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ।ବୈଠକରେ ନିଷ୍ପତ୍ତି ଅନୁଯାୟୀ, ଜିଲ୍ଲାରେ ଡିସେମ୍ବର ୧୧ ତାରିଖରୁ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବ। ପ୍ରଥମ ଧାନ ସଂଗ୍ରହ ଖରିଆର ରୋଡ୍ ମଣ୍ଡିରୁ ଆରମ୍ଭ କରାଯିବ।ପ୍ରତ୍ୟେକ ପ୍ୟାକ୍ସ ପାଇଁ ସପ୍ତାହରେ ୫ ଦିନ ମଣ୍ଡି ପରିଚାଳନା କରାଯିବ।ଚଳିତ ଋତୁରେ ସାଧାରଣ ମାନର ଧାନ ପାଇଁ କ୍ୱିଣ୍ଟାଲ ପ୍ରତି ୨,୪୪୧ ଟଙ୍କା ଏବଂ ଗ୍ରେଡ୍ ‘ଏ’ ଧାନ ପାଇଁ ୨,୪୬୧ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଧାର୍ଯ୍ୟ କରାଯାଇଛି।ଚାଷୀଙ୍କୁ ଟୋକନ୍ ସମ୍ପର୍କିତ ସୂଚନା ଓଡ଼ିଆ ଭାଷାରେ ଏସ୍ ଏମ୍ ଏସ୍ ମାଧ୍ୟମରେ ପ୍ରାୟ ୭ ଦିନ ପୂର୍ବରୁ ପ୍ରଦାନ କରାଯିବ।ଟୋକନ୍ର ବୈଧତା ଏକ ମାସ ରହିବ। ଧାନ କ୍ରୟ ସମୟରେ ଚାଷୀଙ୍କ ପରିଚୟ ବାୟୋମେଟ୍ରିକ୍ କିମ୍ବା ଆଇରିସ୍ ଯାଞ୍ଚ ମାଧ୍ୟମରେ ନିଶ୍ଚିତ କରାଯିବ।ଧାନ ବିକ୍ରୟ ପରେ ଚାଷୀଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଖାତାକୁ NPCI ପ୍ଲାଟଫର୍ମ ମାଧ୍ୟମରେ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅର୍ଥ ପ୍ରଦାନ କରାଯିବ।
