ନୂଆପଡ଼ା : ( ସୁରେଶ ଦଣ୍ଡସେନା )
ସିନାପାଲି ହାଇସ୍କୁଲପଡ଼ାରେ ମାଣବସା ଗୁରୁବାରର ଶେଷ ଅବସରରେ ମା’ ମହାଲକ୍ଷ୍ମୀଙ୍କ ଭବ୍ୟ ପୂଜା ମହୋତ୍ସବ ଆୟୋଜନ ପାଇଁ ଆଧ୍ୟାତ୍ମିକ ପରିବେଶରେ ମାଟି ଯାତ୍ରା ପର୍ବ ଅନୁଷ୍ଠିତ ହୋଇଯାଇଛି। ମା’ଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ ନିମନ୍ତେ ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ମାଟି ଯାତ୍ରା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିବା ବେଳେ ଏହାକୁ ନେଇ ଅଞ୍ଚଳରେ ଭକ୍ତିମୟ ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଛି।ପୂଜା କମିଟି ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆସନ୍ତା ଡିସେମ୍ବର ୨୨ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଛଅ ଦିନ ଧରି ମା’ ମହାଲକ୍ଷ୍ମୀଙ୍କ ପୂଜା ମହୋତ୍ସବ ଆୟୋଜିତ ହେବ।ଡିସେମ୍ବର ୨୨ ତାରିଖରେ ଭକ୍ତିପୂର୍ଣ୍ଣ କଳସ ଯାତ୍ରା ସହ ପୂଜାର ଶୁଭାରମ୍ଭ ହେବ।ଏହି ଅବସରରେ ବିଭିନ୍ନ ରାତ୍ରିରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ମନୋରଞ୍ଜନଧର୍ମୀ ଆୟୋଜନ ହେବ।୨୭ ଡିସେମ୍ବରରେ ପୂର୍ଣ୍ଣାହୁତି ସହ ପୂଜା ମହୋତ୍ସବର ସମାପନ ହେବାକୁ ଥିବାବେଳେ ୨୯ ଡିସେମ୍ବରରେ ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶରେ ମା’ଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହେବ।ପୂଜା ମହୋତ୍ସବକୁ ସର୍ବାଙ୍ଗସୁନ୍ଦର ଓ ଜନସମ୍ପୃକ୍ତିମୂଳକ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ସନ୍ଧ୍ୟାରେ ଭକ୍ତମାନଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା ରହିବ।ଏଥିସହ ମା’ ଓ ଭଉଣୀମାନଙ୍କ ନିମନ୍ତେ ବିଭିନ୍ନ ମନୋରଞ୍ଜନଧର୍ମୀ ଖେଳ ଓ ପ୍ରତିଯୋଗିତା ଆୟୋଜନ କରାଯିବ।ଧାର୍ମିକ ଆୟୋଜନ ସହ ସାମାଜିକ ଓ ସାଂସ୍କୃତିକ ମିଳନର ଏକ ସୁନ୍ଦର ମଞ୍ଚ ସୃଷ୍ଟି କରିବାକୁ ପୂଜା କମିଟି ପକ୍ଷରୁ ପ୍ରୟାସ କରାଯାଉଛି।ଏହି ପୂଜାରେ କର୍ତ୍ତା ଭାବେ ଶ୍ରୀଯୁକ୍ତ ରାଜେନ୍ଦ୍ର ପାଣିଗ୍ରାହୀ ଓ ଶ୍ରୀମତୀ ସରସ୍ୱତୀ ପାଣିଗ୍ରାହୀ ଦାୟିତ୍ୱ ନିର୍ବାହ କରିବେ।ସେହିପରି ପୂଜକ ଭାବେ ଶ୍ରୀଯୁକ୍ତ ଜନ୍ମେଞ୍ଜୟ ପଣ୍ଡା ପୂଜାବିଧି ସମ୍ପନ୍ନ କରିବେ।ମା’ ମହାଲକ୍ଷ୍ମୀଙ୍କ ଆଶୀର୍ବାଦ କାମନା ସହ ଏହି ମହୋତ୍ସବରେ ଅଞ୍ଚଳବାସୀ, ଭକ୍ତ ଓ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗଦେଇ ପୂଜାର ଆଧ୍ୟାତ୍ମିକ ଆନନ୍ଦ ଲାଭ କରିବାକୁ ପୂଜା କମିଟି ପକ୍ଷରୁ ଅନୁରୋଧ କରାଯାଇଛି।
