ଦାବୀ ପୂରଣ ନହେଲେ ଅଖଚକ ବନ୍ଦ
ଭୁବନେଶ୍ବର: ରାଜ୍ୟରେ ଭାରୀ ଯାନ ବା ଗାଡ଼ି ମାଲିକମାନଙ୍କ ଆର୍ଥିକ ଓ ସାମାଜିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ୧୬ ଦଫା ଦାବୀ ନେଇ ବିଧାନ ସଭା ସମ୍ମୁଖ ରେ ଧାରଣା ଦିଆଯାଇଛି।ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସଂଗଠନ ଏହାକୁ ସମର୍ଥନ ଜଣାଇଛନ୍ତି। ଅର୍ଥିକ ତଥା ବିଭିନ୍ନ ସଂକଟର ସମ୍ମୁଖୀନ ହେଉଥିବା ତଥା ଏହାର ସ୍ଥାୟୀ ସମାଧାନ ଏବଂ ଗାଡ଼ି ମାଲିକ ଓ ଚାଳକଙ୍କ ସୁରକ୍ଷା ପାଇଁ ଅଲ ଓଡ଼ିଶା ହେଭି ଭେହିକିଲ ଓନର୍ସ ଆସୋସିଏସନ (ଏଓଏଚଭିଓଏ) ତରଫରୁ ବିଧାନସଭା ସମ୍ମୁଖରେ ଶାନ୍ତିପୂଣ ଗଣଧାରଣା ଦିଆଯାଇଛି। ସଂଘର ମୂଳ ଲକ୍ଷ୍ୟ ଏବଂ ନ୍ୟାୟସଙ୍ଗତ ଦାବି ପୂରଣ ଦିଗରେ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (AIMTC) ର ଓଡିଶା ଅଧ୍ୟକ୍ଷ ରବି ନାରାୟଣ ଶତପଥୀ , ଅଲ ଓଡିଶା ହେଭି ଭେହିକିଲ ଓନର୍ସ ଆସୋସସିଏସନର ରାଜ୍ୟ ସଭାପତି ପୁରଞ୍ଜନ ପାଢୀ, ଅଲ ଓଡିଶା ମିନି ଟ୍ରକ ଓନର୍ସ ଆସୋସିଏସନ ରାଜ୍ୟ ସଭାପତି ବଳରାମ ମହାପାତ୍ର , ବାହାନ ସଂଘ ରାଜ୍ୟ ସଭାପତି ମାନସ ରଞ୍ଜନ ମହାନ୍ତି , ଓଡିଶା ଡ୍ରାଇଭର ମହାସଂଘ ସହ ଓଡିଶା ବିଭିନ୍ନ ମାଲିକ ସଂଘ ଏହାକୁ ସମର୍ଥନ ଜଣାଇଛନ୍ତି। ସଂଘ ପକ୍ଷରୁ ଉପସ୍ଥାପିତ ହୋଇଥିବା ମୁଖ୍ୟ ୧୬ ଦଫା ଦାବିଗୁଡ଼ିକ ହେଲା ସରକାରଙ୍କ ଦ୍ବାରା ସର୍ବନିମ୍ନ ଟ୍ରକ ପରିବହନ ଭଡ଼ା ନିର୍ଦ୍ଧାରଣ କରାଯାଉ। ଗୋଟିଏ ରାଜ୍ୟ, ଗୋଟିଏ ଦର ବ୍ୟବସ୍ଥା ଲାଗୁ ହେଉ। ରେଳ ଓ ସଡ଼କ ପରିବହନ ଅନୁପାତ ୬୦:୪୦ ନିର୍ଦ୍ଧାରଣ କରାଯାଉ। ଓଡ଼ିଶାର ପରିବହନ ପ୍ରଶାସନରେ ସ୍ଥାନୀୟ ସ୍ବାର୍ଥକୁ ସର୍ବାଧିକ ପ୍ରାଥମିକତା ପ୍ରଦାନ କରାଯାଉ। ଓଡ଼ିଶାର ପରିବହନ ସଂସ୍ଥାଗୁଡ଼ିକୁ ସମସ୍ତ କ୍ଷେତ୍ରରେ ପ୍ରଥମ ପ୍ରାଥମିକତା ମିଳୁ। ଯାନବାହନ ଜବତ ସମୟରେ ବ୍ୟାଙ୍କ ଓ ଫାଇନାନ୍ସ ଏଜେଣ୍ଟଙ୍କ ଦ୍ବାରା ବେଆଇନ ଭାବେ ବାହୁବଳ ପ୍ରୟୋଗ ସମ୍ପୂର୍ଣ୍ଣ ବନ୍ଦ ହେଉ। ପରିବହନ ଭଡ଼ା ବକେୟା ରଖିବା ଓ ଅର୍ଥ ପ୍ରଦାନରେ ଅବହେଳା କରୁଥିବା ଏଜେନ୍ସିଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ହେଉ। ଶିଳ୍ପାନୁଷ୍ଠାନଗୁଡ଼ିକରେ କ୍ବାଲିଟି ବିବାଦ ଆଳରେ ମନମୁଖୀ ଭାବେ ଟ୍ରକ ଅଟକ ରଖିବା ପ୍ରଥା ବନ୍ଦ କରାଯାଉ। ଜାତୀୟ ରାଜପଥ କଡ଼ରେ ଚାଲିଥିବା ବେଆଇନ ଡିଜେଲ ବ୍ୟବସାୟ ଉପରେ ରୋକ ଲଗାଯାଉ। ମଦ୍ୟପାନ କରି ଗାଡ଼ି ଚାଳନା କ୍ଷେତ୍ରରେ ସମ୍ପୂର୍ଣ୍ଣ ଦାୟିତ୍ବ ଚାଳକଙ୍କ ଉପରେ ରହୁ, ଏଥିପାଇଁ ଯାନ ମାଲିକଙ୍କ ଅନାବଶ୍ୟକ ଆର୍ଥିକ କ୍ଷତି ରୋକାଯାଉ। ମାଇନର ମିନେରାଲ ଖଣି ଜାଗାରେ ସି ସି ଟିଭି କ୍ୟାମେରା ଲଗାଇବା ସହ ହାଇବା ମାଲିକ ମାନଙ୍କୁ ବାଲି ମାଫିଆ କହିକି ଏନ ଜି ଟି ଆକ୍ଟ ରେ ଲକ୍ଷ ଲକ୍ଷ ଟଙ୍କା ଜୋରିମାନା ବନ୍ଦ ହେଉ ।
ଏଟିଏସ ଫିଟନେସ ସେଣ୍ଟର ନିୟମର ସରଳୀକରଣ ହେଉ ଏବଂ ବିଚାରାଧୀନ ଭିସିଆର ଆଳରେ ଫିଟନେସ ନ ଦେବା ସମସ୍ୟାର ସମାଧାନ କରାଯାଉ। କେବଳ ରାଜସ୍ବ ଆଦାୟର ଲକ୍ଷ୍ୟ ରଖି ପ୍ରଶାସନ ଦ୍ବାରା ଗାଡି ମାଲିକଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ ହେଉ। ଏମଏସଏମଇ ଅଧୀନରେ ଟ୍ରକ୍ ମାଲିକମାନଙ୍କୁ ସମସ୍ତ ସରକାରୀ ସୁବିଧା ଓ ସହୟତା ପ୍ରଦାନ କରାଯାଉ। ଟ୍ରକ ଓ ଭାରୀ ଯାନ ମାଲିକଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର ଏକ କଲ୍ୟାଣ ବୋର୍ଡ ଗଠନ କରନ୍ତୁ। ରାସ୍ତାରେ ଦୁର୍ଘଟଣା ସମୟରେ ଟ୍ରକଚାଳକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥା କରାଯାଉ। ଟୋଲ ଗେଟ ସଂସ୍କାର: ରାଜ୍ୟରେ ଟୋଲ ଗେଟ ସଂଖ୍ୟାକୁ ସୀମିତ କରାଯାଉ, ଅହେତୁକ ଟୋଲ ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ଅଣାଯାଉ ଏବଂ ଟୋଲ ଗେଟର ୫୦ କିଲୋମିଟର ପରିଧି ମଧ୍ୟରେ ଥିବା ସ୍ଥାନୀୟ ବ୍ୟବସାୟିକ ଗାଡ଼ି ମାଲିକମାନଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ପ୍ରବେଶ ବା ସ୍ବତନ୍ତ୍ର ରିହାତି ସୁବିଧା ଉପଲବ୍ଧ କରାଯାଉ। ରାଜ୍ୟର ସମସ୍ତ ଗାଡି ମାଲିକ ନିଜର ହକ ଓ ଅଧିକାର ପାଇଁ ଏକତାବଦ୍ଧ ହେବା ସହ ଦାବୀ ପୂରଣ ନହେଲେ ଆଗକୁ ଅଖଚକ ବନ୍ଦ ସଂମ୍ପୂର୍ଣ ବନ୍ଦ କରିବା ସହ
ମୁଖ୍ୟମନ୍ତ୍ରୀ ବାସଭବନ ଘେରିବା ନେଇ ସଂଘ ପକ୍ଷରୁ କୁହାଯାଇଛି।
