ଏସଏସଡ଼ି ଆଶ୍ରମ ପାଇଁ ଭିତ୍ତିଭୂମିର ଅଭାବ
୪୦ ସିଟର ହଷ୍ଟେଲରେ ୧୦୦ ଛାତ୍ର, ଶ୍ରେଣୀଗୃହ ମାତ୍ର ୩ଟି
ନୂଆପଡ଼ା : ( ସୁରେଶ ଦଣ୍ଡସେନା )
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଠୁଟିବର ସ୍ଥିତ ଏସଏସଡି ଆଶ୍ରମ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୯୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। କିନ୍ତୁ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ମାତ୍ର ୩ଟି ଶ୍ରେଣୀଗୃହ। ଫଳରେ ପାଠପଢ଼ା ପରିଚାଳନାରେ ଶିକ୍ଷକ ଓ ଛାତ୍ରଛାତ୍ରୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।ଅନ୍ୟପକ୍ଷରେ ଏହି ବିଦ୍ୟାଳୟର ହଷ୍ଟେଲ ସମସ୍ୟା ଆହୁରି ଚିନ୍ତାଜନକ। ପୂର୍ବରୁ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ରହିଥିବାବେଳେ ଜମି ମାଲିକାନାକୁ ନେଇ ବିବାଦ ଉପୁଜିଥିଲା। ଉକ୍ତ ଜମି ଜଣେ ବ୍ୟକ୍ତିଙ୍କ ନାମରେ ରେକର୍ଡ ହୋଇଥିବା ଏବଂ ସେ ସମ୍ପର୍କରେ ହାଇକୋର୍ଟଙ୍କ ଆଦେଶ ରହିଥିବା କୁହାଯାଉଛି। ଏହି ଆଇନଗତ ବିବାଦ ପରେ ହଷ୍ଟେଲଟି ବନ୍ଦ ହୋଇଯାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଏସଏସଡି ହଷ୍ଟେଲରେ ମାତ୍ର ୪୦ ଜଣ ଛାତ୍ରଙ୍କ ରହିବା ବ୍ୟବସ୍ଥା ଥିବାବେଳେ ସେଠାରେ ପ୍ରାୟ ୧୦୦ ଜଣ ଛାତ୍ର ରହୁଛନ୍ତି। ଅର୍ଥାତ ନିର୍ଦ୍ଧାରିତ କ୍ଷମତାଠାରୁ ଅଧିକ ଛାତ୍ରଙ୍କୁ ରଖିବାକୁ ପଡ଼ୁଛି।ଏହାଦ୍ୱାରା ରହଣି, ପରିମଳ ଓ ଦୈନନ୍ଦିନ ଜୀବନଯାପନରେ କେତେ ଅସୁବିଧା ସୃଷ୍ଟି ହେଉଥିବ ତାହା ସହଜରେ ଅନୁମାନ କରାଯାଇପାରେ। କେବଳ ହଷ୍ଟେଲ ଓ ଶ୍ରେଣୀଗୃହ ସମସ୍ୟା ନୁହେଁ, ବିଦ୍ୟାଳୟର ହଷ୍ଟେଲକୁ ଯିବା ପାଇଁ ଉପଯୁକ୍ତ ରାସ୍ତା ମଧ୍ୟ ନଥିବା ଅଭିଯୋଗ ହୋଇଛି ଯାହା ଫଳରେ ଛାତ୍ରଛାତ୍ରୀଙ୍କ ଯାତାୟାତରେ ନାନା ସମସ୍ୟା ଦେଖାଦେଉଛି। ସରକାର ଆଦିବାସୀ ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ଠୁଟିବର ଏସଏସଡି ଆଶ୍ରମ ବିଦ୍ୟାଳୟର ଏଭଳି ଅବ୍ୟବସ୍ଥାକୁ କାହିଁକି କାହାର ଦୃଷ୍ଟି ପଡୁନାହିଁ। ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଓ ଏସଏସଡି ବିଭାଗ ତୁରନ୍ତ ଏହି ବିଦ୍ୟାଳୟର ସମସ୍ୟା ଉପରେ ତଦନ୍ତ କରିବା ସହ ହଷ୍ଟେଲ ଜମି ବିବାଦର ସମାଧାନ, ପର୍ଯ୍ୟାପ୍ତ ଶ୍ରେଣୀଗୃହ ନିର୍ମାଣ, ଅଧିକ ଶଯ୍ୟା ବ୍ୟବସ୍ଥା କରିବାକୁ ଅଭିଭାବକ ମହଲରୁ ଦାବି ହେଉଛି। ଶିକ୍ଷାର ଅଧିକାର କେବଳ କାଗଜପତ୍ରରେ ସୀମିତ ନରହି ଏହାର ସୁଫଳ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ। ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ କାଳିକିଙ୍କର ବିଶ୍ଵାଳଙ୍କୁ ପଚାରିବାରୁ ବହୁତ ଶୀଘ୍ର ଜମି ଚିହ୍ନଟ କରି ଆଶ୍ରମ ବିଦ୍ୟାଳୟର ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି।
