ଆକୱାନର ପ୍ରଭାବ :ଚିନ୍ତାରେ ନୂଆପଡ଼ା ଚାଷୀ
ନୂଆପଡ଼ା: ( ସୁରେଶ ଦଣ୍ଡସେନା )
ଅର୍ଣ୍ଣବ ବାତ୍ୟାର ପ୍ରଭାବରୁ ନୂଆପଡ଼ା ଜିଲ୍ଲାର ଚାଷୀମାନେ ଏପର୍ଯ୍ୟନ୍ତ ମୁକୁଳି ପାରିନଥିବା ବେଳେ ଏବେ ଆକୱାନର ପ୍ରଭାବ ଚାଷୀଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।ବିଶେଷକରି ଧାନ ଅମଳ ସମୟରେ ପାଗରେ ପରିବର୍ତ୍ତନ ଓ ବର୍ଷାର ଆଶଙ୍କା ଚାଷୀଙ୍କ ମୁଣ୍ଡରେ ଚଡ଼କ ସଦୃଶ ହୋଇଛି।ଅନେକ ଚାଷୀଙ୍କ ଧାନ ଏବେ କ୍ଷେତରେ ରହିଥିବା ବେଳେ ଆଉ କେତେକ ଚାଷୀ ଅମଳ କରି ଖଳାରେ ଧାନ ରଖୁଛନ୍ତି।ଏଭଳି ସମୟରେ ଅସ୍ଵାଭାବିକ ପାଗ ଚାଷୀଙ୍କ ଚିନ୍ତା ବଢ଼ାଇଛି। ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ପୂର୍ବରୁ ଧାନ ଫସଲରେ କ୍ଷତି ହୋଇଥିବା ନେଇ ଚାଷୀମାନେ ଅଭିଯୋଗ କରିଥିଲେ।ଅନେକ ସ୍ଥାନରେ ଧାନ ଗଛ ମାଟିରେ ଲୋଟି ପଡ଼ିବା ସହ ଅମଳରେ ବାଧା ସୃଷ୍ଟି ହୋଇଥିଲା।ଫସଲକୁ ଘରକୁ ଆଣିବା ପାଇଁ ଚାଷୀମାନେ ଯୋଜନା କରୁଥିବା ବେଳେ ଏବେ ଆକୱାନର ପ୍ରଭାବ ଆଉ ଏକ ନୂଆ ଚିନ୍ତା ସୃଷ୍ଟି କରିଛି।ଧାନ ଅମଳ ପାଇଁ ଚାଷୀମାନେ ଦିନରାତି ପରିଶ୍ରମ କରିବା ସହ ଚାଷରେ ଧାର କରଜ କରି ଟଙ୍କା ଖର୍ଚ୍ଚ କରିଛନ୍ତି I ବିହନ, ସାର, କୀଟନାଶକ, ଶ୍ରମିକ ଓ ଚାଷ ଯନ୍ତ୍ରପାତି ବାବଦରେ ଚାଷୀଙ୍କ ବିପୁଳ ଅର୍ଥ ଖର୍ଚ୍ଚ ହୋଇଛି।ଫସଲ ଅମଳ ସମୟରେ ପାଗ ବିଗିଡ଼ିଲେ ଉତ୍ପାଦିତ ଧାନର ଗୁଣବତ୍ତା ହ୍ରାସ ପାଇବା ସହ ଚାଷୀଙ୍କ ଆର୍ଥିକ କ୍ଷତି ହେବାର ଆଶଙ୍କା ରହିଛି।ଅନ୍ୟପକ୍ଷରେ, ଅମଳ ହୋଇଥିବା ଧାନକୁ ସୁରକ୍ଷିତ ଭାବେ ରଖିବା ମଧ୍ୟ ଚାଷୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।ଖୋଲା ଖଳାରେ ଧାନ ରଖୁଥିବା ଚାଷୀମାନେ ବର୍ଷାକୁ ନେଇ ଆଶଙ୍କାରେ ରହିଛନ୍ତି।ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ଆବଶ୍ୟକ ସହାୟତା,ଧାନ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା ଏବଂ କ୍ଷୟକ୍ଷତିର ତୁରନ୍ତ ଆକଳନ କରିବାକୁ ଦାବି ହେଉଛି।ଅର୍ଣ୍ଣବର ଆଘାତରୁ ଚାଷୀ ମୁକୁଳିବା ପୂର୍ବରୁ ଆକୱାନର ଭୟ ଏବେ ଚାଷୀଙ୍କ ଚିନ୍ତାକୁ ଦ୍ଵିଗୁଣିତ କରିଛି।ପ୍ରକୃତିର ଏହି ଦୁଇ ଝଟକା ମଧ୍ୟରେ ଚାଷୀଙ୍କ ବର୍ଷକର ପରିଶ୍ରମ ଓ ଆଶା ଏବେ ବିପଦରେ ପଡ଼ିଥିବା ଦେଖାଯାଉଛି।
