ଜାତିୟ ଗଣମାଧ୍ୟମ ଦିବସ : ଗଣତନ୍ତ୍ରର ଚତୁର୍ଥ ସ୍ଥମ୍ଭର ଦାୟିତ୍ଵ
ନୂଆପଡ଼ା : ( ସୁରେଶ ଦଣ୍ଡସେନା)
ଆଜି ଜାତୀୟ ଗଣମାଧ୍ୟମ ଦିବସ।ପ୍ରତିବର୍ଷ ନଭେମ୍ବର ୧୬ ତାରିଖ ସାରା ଦେଶରେ ଏହି ଦିବସ ପାଳନ କରାଯାଏ।ସାମ୍ବାଦିକ ଏକ ବୃତ୍ତି ନୁହେଁ,ଏହା ଏକ ସାଧନ।ସତ୍ୟକୁ ସାମ୍ନାକୁ ଆଣିବା,ନୀରବ ଲକଙ୍କ ସ୍ୱର ହେବା ଏବଂ ଶାସନ ବ୍ୟବସ୍ଥାକୁ ଜବାବଦେହି କରିବା ହିଁ ଗଣମାଧ୍ୟମର ମୂଳ ଧର୍ମ।ଆଜିର ଦିନରେ ସେହି ଧର୍ମକୁ ମନେ ପକାଇବାର ଅବସର।୧୯୬୬ ମସିହା ନଭେମ୍ୱର ୧୬ ତାରିଖରେ ଭାରତୀୟ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ କାର୍ଯ୍ୟକ୍ଷମ ହେଇଥିଲା।ଏହାର ସ୍ମୃତିରେ ଏହି ଦିନକୁ ଜାତିୟ ଗଣମାଧ୍ୟମ ଦିବସ ଭାବେ ପାଳନ କରାଯାଏ। ଗଣମାଧ୍ୟମର ସ୍ଵାଧୀନତା ରକ୍ଷା କରିବା ଏବଂ ଏହାର ନୈତିକ ମାନଦଣ୍ଡକୁ ବଜାୟ ରଖିବା ପାଇଁ ପ୍ରେସ୍ କାଉନସିଲ୍ ଗଠନ କରାଯାଇଥିଲା।ସେବେଠାରୁ ଏପର୍ଯ୍ୟନ୍ତ ଗଣମାଧ୍ୟମ ଦେଶର ଗଣତନ୍ତ୍ରକୁ ମଜବୁତ୍ କରିବାରେ ଗୁରୁତ୍ୱପୂର୍ଣ୍ଣ ନଭୂମିକା ନିଭାଇ ଆସୁଛି।ଗଣତନ୍ତ୍ରର ଚାରି ସ୍ତମ୍ଭ ମଧ୍ୟରେ ଗଣମାଧ୍ୟମ ହେଉଛି ଚତୁର୍ଥ ସ୍ତମ୍ଭ। ଗାଁର ଛଟ ସମସ୍ୟାଠାରୁ ନେଇ ଦିଲ୍ଲୀର ସାଂସଦ ଯାଏଁ,ଚାଷୀଙ୍କ ଦୁଃଖଠାରୁ ନେଇ ଛାତ୍ରଙ୍କ ସ୍ବପ୍ନ ଯାଏଁ ସବୁ କଥା ଗଣମାଧ୍ୟମ ଦ୍ଵାରା ହିଁ ଲୋକଙ୍କ ପାଖରେ ପହଞ୍ଚେ।ଯଦି ଗଣମାଧ୍ୟମ ନ ଥାଆନ୍ତା ,ତେବେ ଗଣତନ୍ତ୍ର ଅନ୍ଧାରରେ ବାଟ ହଜେଇ ଦେଇଥାନ୍ତା। ସ୍ଵାଧୀନତା ସଂଗ୍ରାମ ସମୟରେ ଗଣମାଧ୍ୟମର ଭୂମିକା ଥିଲା ଅତୁଳନୀୟ।ସେତେବେଳେ ଖବରକାଗଜ ହିଁ ଥିଲା ବିପ୍ଳବର ହତିଆର। ମହାତ୍ମାଗାନ୍ଧୀଙ୍କ ‘ ହରିଜନ ‘, ‘ୟଙ୍ଗ ଇଣ୍ଡିଆ’, ବାଲ ଗଙ୍ଗାଧରଙ୍କ ‘,ଗୋପବନ୍ଧୁ ଦାସଙ୍କ ସମାଜ ଭଳି ଖବରକାଗଜ ଲୋକଙ୍କୁ ଜାଗ୍ରତ କରିଥିଲା।ଓଡ଼ିଶାରେ ଉତ୍କଳମଣି ଗୋପବନ୍ଧୁ ଦାସ କହିଥିଲେ, ସାମ୍ବାଦିକତା ହେଉଛି ସେବା।ସେହି ପରମ୍ପରା ଆଯିବି ଚାଲିଛି।ସାମ୍ବାଦିକମାନେ ଖରା,ବର୍ଷା, ଶୀତକୁ ଖାତିର ନକରି ଗାଁ ଗାଁ ବୁଲି ଲୋକଙ୍କ ଦୁଃଖ ସୁଖ ର ଖବର ଆଣନ୍ତି।କିନ୍ତୁ ଆଜି ଗଣମାଧ୍ୟମ ଆଗରେ ଆହ୍ବାନ ବି କମ୍ ନୁହେଁ। ଗଣମାଧ୍ୟମ ଏବେ କେବଳ ଖବରକାଗଜ ଏବଂ ଟିଭି ରେ ସୀମିତ ନାହିଁ।ମୋବାଇଲ, ସୋସିଆଲମିଡ଼ିଆ, ୟୁଟୁବ,ୱାଟ୍ସ୍ଆପ୍ ସବୁ ଏବେ ଗଣମାଧ୍ୟମ ର ଅଂଶ।ଖବର ମିନିଟ ମିନିଟ ରେ ପହୁଞ୍ଚିଛି,କିନ୍ତୁ ସତ ଖବର ଓ ମିଛ ଖବର ମଧ୍ୟରେ ପାର୍ଥକ୍ୟ କରିବା କଷ୍ଟ ହେଲାଣି।ଫେକ୍ ନ୍ୟୁଜ୍,ମିଥ୍ୟା ତଥ୍ୟ, ଅଫବାହ ସମାଜକୁ ଭାଙ୍ଗି ଦେଉଛି। ଏଭଳି ସମୟରେ ଜଣେ ପ୍ରକୃତ ସାମ୍ୱାଦିକର ଦାୟିତ୍ଵ ଆହୁରି ବଢି ଯାଇଛି।ତଥ୍ୟ ଯାଞ୍ଚ ନ କରି ଖବର ପ୍ରସାରଣ ନ କରିବା,କାହାର ସମ୍ମାନ ନଷ୍ଟ ନ କରିବା ନିରପେକ୍ଷ ରହିବା ହିଁ ଏବେ ସବୁଠାରୁ ବଡ ଚାଲେଞ୍ଜ।ଗ୍ରାମାଞ୍ଚଳ ସାମ୍ୱାଦିକମାନଙ୍କ ଜୀବନ ଏତେ ସହଜ ନୁହେଁ।ସେମାନେ ଦିନ ରାତି ଖବର ସଂଗ୍ରହ କରନ୍ତି,କିନ୍ତୁ ଅନେକ ସମୟରେ ନିଜ ସୁରକ୍ଷା,ସ୍ୱାସ୍ଥ୍ୟ,ଆର୍ଥିକ ସୁରକ୍ଷାକୁ ନେଇ ଚିନ୍ତିତ ରୁହନ୍ତି।ତଥାପି ସେମାନେ ପଛଘୁଞ୍ଚା ଦିଅନ୍ତି ନାହିଁ।କାରଣ ସେମାନେ ଜାଣନ୍ତି,ସେମାନଙ୍କର କଲମ ଯଦି ବନ୍ଦ ହେଇଯିବ,ତେବେ ଗରିବ ଲୋକଙ୍କ କଥା କେହି ଶୁଣିବେ ନାହିଁ।ରାସ୍ତା ଖରାପ,ପାଣି ନାହିଁ,ସ୍କୁଲରେ ଶିକ୍ଷକ ନାହାନ୍ତି,ହସ୍ପିଟାଲରେ ଡାକ୍ତର ନାହାନ୍ତି ଓ ଦୁର୍ନୀତି ଏବଂ ଅନ୍ୟାନ୍ୟ ସମସ୍ୟା-ଏସବୁ କଥା ଗଣମାଧ୍ୟମରେ ଆସିଲେ ହିଁ ପ୍ରଶାସନ ଚେଇଁ ଉଠେ।ଏହାହିଁ ଗଣମାଧ୍ୟମର ଶକ୍ତି।ଏହି ଦିବସରେ ଆମେ ସମସ୍ତେ ସଂକଳ୍ପ ନେବା ଉଚିତ୍ – ଗଣମାଧ୍ୟମକୁ ସମ୍ମାନ ଦେବା,ସାମ୍ବାଦିକଙ୍କୁ ସୁରକ୍ଷା ଦେବା ଏବଂ ସତ୍ୟ ଖବରକୁ ସମର୍ଥନ କରିବା। ପାଠକ ଭାବେ ଆମେ ବି ସଚେତନ ହେବା ଦରକାର।ଯେ କୌଣସି ଖବରକୁ ଆଖି ବୁଜି ବିଶ୍ୱାସ ନ କରି ତାର ସତ୍ୟାସତ୍ୟ ଯାଞ୍ଚ କରିବା ଉଚିତ୍।ଭଲ ଗଣମାଧ୍ୟମ ହିଁ ଭଲ ସମାଜ ଗଢି ପାରିବେ।ଗଣମାଧ୍ୟମ ଦିବସ କେବଳ ଏକ ଉତ୍ସବ ନୁହେଁ,ଏହା ହେଉଛି ଆତ୍ମସମୀକ୍ଷାର ଦିନ।ଆମେ କୋଉଠି ଠିଆ ହେଇଛୁ,ଆମ କଲମ କାହା ପାଇଁ ଲେଖୁଛି,ଆମ ଖବର ସମାଜକୁ ଆଗକୁ ନେଉଛି ନା ପଛକୁ ଠେଲୁଛି – ଏହା ଭାବିବାର ଦିନ।ଆପଣଙ୍କ କଲମ ସବୁବେଳେ ସତ୍ୟ ପାଇଁ ଚାଲୁ,ନ୍ୟାୟ ପାଇଁ ଚାଲୁ।ଆଜି ସମସ୍ତ ସାମ୍ବାଦିକ ଭାଇ ଭଉଣୀଙ୍କୁ ଜାତିୟ ଗଣମାଧ୍ୟମ ଦିବସର ହାର୍ଦ୍ଦିକ ଶୁଭେଚ୍ଛା।
