ନୂଆପଡ଼ା : ( ସୁରେଶ ଦଣ୍ଡସେନା )
ଆସନ୍ତା ଡିସେମ୍ବର ୩ ତାରିଖରେ ପାଳିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସର ସଫଳ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ଏବଂ ଅତିରିକ୍ତ ଜିଲ୍ଲାପାଳ ଗଣେଶ୍ୱର କହଁରଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ, ସମସ୍ତ ବିଡିଓ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ।ଏଥିସହ ନୂଆପଡ଼ା ଦିବ୍ୟାଙ୍ଗ ସଂଘର ସଭାପତି ଦିଲୀପ କୁମାର ଷଡ଼ଙ୍ଗୀ, ପରଦା ଏନ୍ଜିଓର ଅଧ୍ୟକ୍ଷ ରୁଦ୍ର ପଟ୍ଟନାୟକଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି ଉପସ୍ଥିତ ଥିଲେ।ବୈଠକରେ ଡିସେମ୍ବର ୩ ତାରିଖରେ ନୂଆପଡ଼ା ପୁଲିସ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ସମାରୋହ ଆୟୋଜନ ନିମନ୍ତେ ବିଭିନ୍ନ ପ୍ରସ୍ତୁତି ଓ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା।ଏହି ଅବସରରେ ଏକ ସଚେତନତା ପଦଯାତ୍ରା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା, ଦିବ୍ୟାଙ୍ଗ କଳାକାର ଓ ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ ପରିବେଷଣ ଆୟୋଜନ ଉପରେ ଆଲୋଚନା କରାଯାଇଛି।ସ୍ୱତନ୍ତ୍ର ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସହ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ନେଇ ଏକ କ୍ରିକେଟ୍ ମ୍ୟାଚ୍ ଆୟୋଜନ କରିବାକୁ ଆଲୋଚନା ହୋଇଥିଲା।ଏଥିସହ ଦିବ୍ୟାଙ୍ଗ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରୟ ନିମନ୍ତେ ଷ୍ଟଲ୍ ବ୍ୟବସ୍ଥା କରିବା ସହ ବିଭିନ୍ନ ସାମାଜିକ ସଂଗଠନର ଅଂଶଗ୍ରହଣ ଉପରେ ଆଲୋଚନା କରାଯାଇଥିଲା।ଏହାସହ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ମଞ୍ଚ, ପେଣ୍ଡାଲ, ଆସନ ବ୍ୟବସ୍ଥା, ପାନୀୟ ଜଳ, ପରିମଳ, ବିଦ୍ୟୁତ୍, ଦିବ୍ୟାଙ୍ଗ ଅଂଶଗ୍ରହଣକାରୀଙ୍କ ଯାତାୟାତ ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।କାର୍ଯ୍ୟକ୍ରମ ସମ୍ପର୍କରେ ବ୍ୟାପକ ଜନସଚେତନତା ଓ ଜନସାଧାରଣଙ୍କ ଅଧିକରୁ ଅଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା।ଏହି ବୈଠକ ଅବସରରେ ଦ୍ୱିତୀୟ ପର୍ଯ୍ୟାୟ ଭୀମଭୋଇ ସାମର୍ଥ୍ୟ ଶିବିର ଆୟୋଜନ ନେଇ ମଧ୍ୟ ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା।ଏହି ଶିବିର ଡିସେମ୍ବର ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବାକୁ ସ୍ଥିର ହୋଇଛି।ଶିବିରରେ ଯୋଗ୍ୟ ହିତାଧିକାରୀଙ୍କ ଅଂଶଗ୍ରହଣ, ଆବଶ୍ୟକୀୟ ବ୍ୟବସ୍ଥା ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଆଲୋଚନା ହୋଇଥିଲା। ଶେଷରେ ତୃତୀୟ ଲିଙ୍ଗ ସମ୍ପ୍ରଦାୟର ସଦସ୍ୟମାନଙ୍କ ସମସ୍ୟା, ସେମାନଙ୍କ କଲ୍ୟାଣ ଓ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ସମ୍ପର୍କିତ ବିଷୟରେ ଆଲୋଚନା ହୋଇଥିଲା।
