ନୂଆପଡ଼ା : ( ସୁରେଶ ଦଣ୍ଡସେନା )
ସ୍ୱାସ୍ଥ୍ୟସେବାର ନାଁରେ ଖୋଲିଛି ଅବହେଳାର ପୋଲ୍। ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିଲେ, ହେଲେ ଚିକିତ୍ସା ମିଳିବା ପୂର୍ବରୁ ଚାଲିଗଲା ଜୀବନ! ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ୧୩ ବର୍ଷୀୟା ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କ ସଙ୍ଗୀନ ଅଭିଯୋଗ। ନ୍ୟାୟ ଦାବିରେ ହସ୍ପିଟାଲ ସମ୍ମୁଖରେ ଶବ ରଖି ଧାରଣା। ଏବେ ପ୍ରଶ୍ନ, ନିରୀହ ଝିଅଟିର ମୃତ୍ୟୁ ପାଇଁ ଦାୟୀ କିଏ?।ପାଟଦରା ଗାଁର ରାମଲାଲ ବାଗ ଓ ସୁନୀତା ବାଗଙ୍କ କୋଳରେ ଥିଲା ହସଖୁସିର ସଂସାର।ହେଲେ ହଠାତ୍ ସବୁକିଛି ଓଲଟପାଲଟ ହୋଇଗଲା।ମାତ୍ର ୧୩ ବର୍ଷ ବୟସରେ ଅକାଳରେ ଆଖି ବୁଜିଦେଲା ଅଷ୍ଟମ ଶ୍ରେଣୀର ଛାତ୍ରୀ ପଦ୍ମିନୀ ବାଗ।ଗତକାଲି ଜ୍ୱର ହୋଇଥିବା ବେଳେ ରାତିରେ ଜ୍ୱର ବଢ଼ିବାରୁ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହସ୍ପିଟାଲ ଆଣିଥିଲେ।ଆଜି ସକାଳ ପ୍ରାୟ ୭ଟା। ଆଶା ଓ ଭରସା ନେଇ ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ ପରିବାର ଲୋକେ।ହେଲେ ସେଠାରେ ଡାକ୍ତର ନଥିବା ସହ ଉପସ୍ଥିତ ନର୍ସମାନେ ମଧ୍ୟ ଚିକିତ୍ସା କରିନଥିବା ଅଭିଯୋଗ ହୋଇଛି।ଫଳରେ ଉପଯୁକ୍ତ ସମୟରେ ଚିକିତ୍ସା ନମିଳିବାରୁ ପଦ୍ମିନୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର।ଯେଉଁ ହସ୍ପିଟାଲକୁ ଜୀବନ ବଞ୍ଚାଇବାର ଆଶା ନେଇ ଆସିଥିଲେ, ସେଠାରୁ ଝିଅର ମୃତଦେହ ଧରି ଫେରିବାକୁ ପଡ଼ିଛି।ଏହି ଘଟଣା ପରେ ହସ୍ପିଟାଲ ପରିସରରେ ଉତ୍ତେଜନା।ମୃତଦେହ ରଖି ପରିବାର ଲୋକେ ଧାରଣାରେ ବସିଥିବା ବେଳେ ସ୍ଥାନୀୟ ସମାଜସେବୀ ସହ କଂଗ୍ରେସ ନେତା କମଳ ଚରଣ ତାଣ୍ଡି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।ଶୋକସନ୍ତପ୍ତ ପରିବାରକୁ ଆଶ୍ୱାସନା ଦେବା ସହ କାର୍ଯ୍ୟରେ ଅବହେଳା କରିଥିବା ଡାକ୍ତର ଓ ଷ୍ଟାଫ୍ ନର୍ସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ମୃତକଙ୍କ ପରିବାରକୁ ଉପଯୁକ୍ତ ଆର୍ଥିକ ସହାୟତା ଦାବି କରିଛନ୍ତି।ଗୋଟିଏ ପଟେ ଏମ୍ବୁଲାନ୍ସ ରେ ନିୟୋଜିତ ଫାର୍ମାଶିଷ୍ଟ ଡାକ୍ତର ଓ ନର୍ସ ଅନୁପସ୍ଥିତ କଥା କହୁଥିବା ବେଳେ ଚିକିତ୍ସା ରେ ଅବହେଳା ଘଟଣା କୁ ବୋଡେ଼ନ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ଇନଚାର୍ଜ ଅସ୍ବୀକାର କରିଛନ୍ତି।ତେବେ ଏହା କେବଳ ଗୋଟିଏ ଦିନର ଘଟଣା ନୁହେଁ, ବୋଡ଼େନ ହସ୍ପିଟାଲରେ ଏଭଳି ଅବ୍ୟବସ୍ଥା ବାରମ୍ବାର ଦେଖାଦେଉଥିବା ଅଭିଯୋଗ ମଧ୍ୟ ଉଠିଛି।ଯଦି ସରକାରୀ ହସ୍ପିଟାଲରେ ଜରୁରୀ ସମୟରେ ଡାକ୍ତର ଉପଲବ୍ଧ ନରହିବେ,ତେବେ ସାଧାରଣ ଲୋକ ଚିକିତ୍ସା ପାଇଁ ଯିବେ କେଉଁଠି? ଗ୍ରାମାଞ୍ଚଳର ଗରିବ ଲୋକଙ୍କ ପାଇଁ ସରକାରୀ ହସ୍ପିଟାଲ ହିଁ ଏକମାତ୍ର ଭରସା। ସେହି ଭରସା ଯଦି ଭାଙ୍ଗିଯାଏ,ତେବେ ଜୀବନର ସୁରକ୍ଷା କାହା ହାତରେ?
