
✅ୟୁଏଇର IHC ଗ୍ରୁପ୍ ସହ ୧.୧୦ ଲକ୍ଷ କୋଟି ଟଙ୍କାର ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ MoU ସ୍ଵାକ୍ଷରିତ
✅୫୩, ୫୦୦ ନିଯୁକ୍ତି ସୁଯୋଗ
✅ ‘ଗ୍ରୀନ୍ ମେଟାଲ୍ସ’ ଓ ପରିବେଶ ଉପଯୋଗୀ ଶିଳ୍ପାୟନର ଧାରାକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ସହାୟକ ହେବ
ଲୋକଙ୍କ ସରକାରରେ ଓଡ଼ିଶା ଏକ ଶିଳ୍ପ ସମୃଦ୍ଧ ଅର୍ଥନୀତିରେ ପରିଣତ ହେବା ସହ ବିଶ୍ୱସ୍ତରୀୟ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଦିଗରେ ଆଗକୁ ବଢୁଛି । ରାଜ୍ୟ ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ପ୍ରାୟ ୧୧.୫ ବିଲିୟନ ଆମେରିକୀୟ ଡଲାର ଅର୍ଥାତ ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ ଯୁକ୍ତ ଏହି ପ୍ରକଳ୍ପ, ରାଜ୍ୟର ନିଯୁକ୍ତି କ୍ଷେତ୍ରକୁ ଆହୁରି ବ୍ୟାପକ କରିବ।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi କହିଛନ୍ତି ଯେ, ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶାରେ ବକ୍ସାଇଟ୍ ଖଣି କାର୍ଯ୍ୟ, ଆଲୁମିନା ରିଫାଇନିଂ, ଆଲୁମିନିୟମ୍ ସ୍ମେଲଟିଙ୍ଗ, କ୍ୟାପ୍ଟିଭ୍ ପାୱାର୍ ପ୍ଲାଣ୍ଟ ସମେତ ଡାଉନ୍ଷ୍ଟ୍ରିମ୍ ଆଲୁମିନିୟମ୍ ଉତ୍ପାଦନ ଓ ଭିତ୍ତିଭୂମିର ବିକାଶ କରାଯିବ। ରାଜ୍ୟର ଖଣିଜ ସମ୍ବଳରୁ କେବଳ ରପ୍ତାନି ନୁହେଁ, ବରଂ ବ୍ୟାପକ ମୂଲ୍ୟ ସଂଯୋଜନ ମାଧ୍ୟମରେ ଶିଳ୍ପାୟନ ଏବଂ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ଲୋକଙ୍କ ସରକାରଙ୍କ ମୂଳ ଲକ୍ଷ୍ୟ । ଏଥିସହ ଲୋକଙ୍କ ସରକାର ‘ସମୃଦ୍ଧ ଓଡ଼ିଶା ୨୦୩୬’ ଏବଂ ‘ବିକଶିତ ଭାରତ ୨୦୪୭’ର ସଂକଳ୍ପ ନେଇ ଆଗକୁ ବଢ଼ୁଛି। ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ଶିଳ୍ପ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିତୋଳିବାକୁ ସରକାର ବଦ୍ଧପରିକର ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।
