ସ୍ଥାନୀୟ ବି.ଜେ.ବି. ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଛାତ୍ରଛାତ୍ରୀ ବିଜ୍ଞାନ ସେମିନାର–୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏହି ସେମିନାରର ମୁଖ୍ୟ ବିଷୟବସ୍ତୁ ରହିଥିଲା— “ଭାରତୀୟ ଶକ୍ତି ଭଣ୍ଡାର, ୨୦୪୭: ସମ୍ଭାବନା ଏବଂ ଆହ୍ୱାନ” (Indian Energy Basket, 2047: Prospects and Challenges)।
ଏହି ପ୍ରତିଯୋଗିତାକୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଏକାଡେମିକ୍) ଡ. ପ୍ରଜ୍ଞା ପରମିତା ଜେନା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଗତ ୧୨ ସେପ୍ଟେମ୍ବରରେ ଜିଲ୍ଲାର ସମସ୍ତ ବ୍ଲକରେ ଆୟୋଜିତ ବ୍ଲକସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ମୋଟ ୩୦ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀ ଏହି ଜିଲ୍ଲାସ୍ତରୀୟ ସେମିନାରରେ ଅଂଶଗ୍ରହଣ କରିଥିଲେ।
ଦିବସବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନଙ୍କ ପ୍ରଦର୍ଶନକୁ ଖୋର୍ଦ୍ଧା ଡାଏଟ୍ (DIET) ର ଶିକ୍ଷକ ପ୍ରଶିକ୍ଷିକା ଶ୍ରୀମତୀ ବୀଣାପାଣି ପାଢ଼ୀ ଏବଂ ପ୍ରାଣନାଥ (ସ୍ୱୟଂଶାସିତ) ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଶ୍ରୀ ସୁବୋଧ କୁମାର ଜଗଦେବ ବିଚାରକ ଭାବେ ଯୋଗଦେଇ ମୂଲ୍ୟାୟନ କରିଥିଲେ।
ଉଦ୍ଯାପନୀ ଉତ୍ସବରେ କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା:
ପ୍ରଥମ ସ୍ଥାନ: ଦୀପ୍ତି ଆକାଂକ୍ଷା ବିଶ୍ୱାଳ (ନବମ ଶ୍ରେଣୀ), ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବେଣ୍ଟପୁର (ବାଲିଅନ୍ତା ବ୍ଲକ୍)
ଦ୍ୱିତୀୟ ସ୍ଥାନ: ସାଇ ସୌରଭ କୁମାର (ନବମ ଶ୍ରେଣୀ), ପ୍ରତାପ ଶାସନ ସରକାରୀ ଉଚ୍ଚ ବିଦ୍ୟାଳୟ (ବାଲିଅନ୍ତା ବ୍ଲକ୍)
ତୃତୀୟ ସ୍ଥାନ: ମୃତ୍ୟୁଞ୍ଜୟ ଭୋଳ (ଦଶମ ଶ୍ରେଣୀ), ଶ୍ରୀ ବୁଦ୍ଧନାଥ ଉଚ୍ଚ ବିଦ୍ୟାଳୟ, ବାଳିପାଟଣା (ବାଳିପାଟଣା ବ୍ଲକ୍)
ପ୍ରଥମ ସ୍ଥାନ ଅଧିକାର କରିଥିବା ଦୀପ୍ତି ଆକାଂକ୍ଷା ବିଶ୍ୱାଳ ଆଗାମୀ ରାଜ୍ୟସ୍ତରୀୟ ବିଜ୍ଞାନ ସେମିନାର–୨୦୨୬ ରେ ଖୋର୍ଦ୍ଧା ଜିଲ୍ଲାକୁ ପ୍ରତିନିଧିତ୍ୱ କରିବେ।
ଉଦ୍ଯାପନୀ ସଭାରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ (ଡି.ଇ.ଓ.) ଶ୍ରୀମତୀ ସୋନାମିକା ରାୟ ଯୋଗଦେଇ କହିଥିଲେ ଯେ, “ପ୍ରତିଯୋଗିତାରେ ନିଷ୍ଠାପର ଅଂଶଗ୍ରହଣ ଏବଂ ପୂର୍ବ ପ୍ରସ୍ତୁତି ହିଁ ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ଶ୍ରେଷ୍ଠ ମୂଳମନ୍ତ୍ର।” ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତିର୍ମୟୀ ପଣ୍ଡା ଏବଂ ତାଙ୍କ ଶିକ୍ଷକ-ଶିକ୍ଷୟିତ୍ରୀ ଦଳ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ସରୋଜ କୁମାର ସିଂହ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
