ନୂଆପଡ଼ା : ( ସୁରେଶ ଦଣ୍ଡସେନା )
ନୂଆପଡ଼ା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା (PMDDKY)ର ସଫଳ ରୂପାୟଣ ଓ କୃଷି କ୍ଷେତ୍ରରେ ଉନ୍ନତି ନିମନ୍ତେ ଜିଲ୍ଲାସ୍ତରୀୟ କମିଟି ବୈଠକ ଜିଲ୍ଲାପାଳ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଉପନିର୍ଦ୍ଦେଶକ, ଯୋଜନା ଦିଲେଶ୍ୱର ଧରୁଆ ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର ଉଦ୍ଦେଶ୍ୟ ଓ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନାର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲାପାଳ କୃଷି କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ଏହି ଯୋଜନାର ଲକ୍ଷ୍ୟ ହାସଲ ପାଇଁ ସମସ୍ତ ବିଭାଗ ସମନ୍ୱିତ ଭାବେ ଉଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ। କୃଷି ଉତ୍ପାଦକତା ବୃଦ୍ଧି, ଚାଷୀଙ୍କ ଆୟ ବୃଦ୍ଧି ଏବଂ କୃଷିଭିତ୍ତିକ ଉନ୍ନୟନ କାର୍ଯ୍ୟକ୍ରମର ସୁପରିଚାଳନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ଯୋଗ୍ୟ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY)ରେ ସାମିଲ କରିବା ପାଇଁ ଉଦ୍ୟମ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏଥିସହ କିଷାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆୟୋଜନ ଉପରେ ସେ ଗୁରୁତ୍ୱ ଦେଇଥିଲେ। ଯୋଜନାର ଏକ ପ୍ରମୁଖ ସୂଚକ ଭାବେ KCC ଅନ୍ତର୍ଭୁକ୍ତିକରଣକୁ ଗୁରୁତ୍ୱ ଦେବା ସହ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ (Soil Health Card) ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଜଗବନ୍ଧୁ ପଟେଲ, ସମସ୍ତ ବିଡିଓ, ଜିଲ୍ଲାସ୍ତରୀୟ ଅଧିକାରୀ, କୃଷି ବିଭାଗର ଅଧିକାରୀ ଏବଂ କୃଷକ ଉତ୍ପାଦକ ସଂଗଠନ (FPO)ର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
