୧୦୧ ଥର ରକ୍ତ ଦାନ କରି,ନୂଆପଡ଼ାରେ ରକ୍ତବୀର ଭାବେ ସ୍ୱତନ୍ତ୍ର ପରିଚୟ ହାସଲ କଲେ ଶିକ୍ଷକ
ନୂଆପଡ଼ା : ( ସୁରେଶ ଦଣ୍ଡସେନା )
ଶିକ୍ଷକତା ଏକ ମହାନ ବୃତ୍ତି, ଆଉ ମାନବସେବା ହେଉଛି ଜୀବନର ସର୍ବଶ୍ରେଷ୍ଠ ଧର୍ମ। ଏହି ଦୁଇଟି ମହାନ ଆଦର୍ଶକୁ ନିଜ ଜୀବନରେ ଆପଣାଇ ନିଆରା ପରିଚୟ ସୃଷ୍ଟି କରିଛନ୍ତି ନୂଆପଡ଼ା ଜିଲ୍ଲା ମାଗୁରପାଣି ଗ୍ରାମର ଶିକ୍ଷକ କିଶୋର କୁମାର ପରିଡ଼ା। ବିଦ୍ୟାଳୟରେ ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ ଶ୍ରୀ ପରିଡ଼ା ଆଜି ସମଗ୍ର ନୂଆପଡ଼ା ଜିଲ୍ଲାରେ ଜଣେ ରକ୍ତବୀର ଭାବେ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି।ଇଚ୍ଛାଶକ୍ତି ଓ ଦୃଢ଼ ସଂକଳ୍ପ ଥିଲେ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରେ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କିଶୋର କୁମାର ପରିଡ଼ା। ମାତ୍ର ୧୮ ବର୍ଷ ବୟସରୁ ଆରମ୍ଭ ହୋଇଥିବା ତାଙ୍କର ରକ୍ତଦାନ ଯାତ୍ରା ଆଜି ୫୧ ବର୍ଷ ବୟସରେ ୧୦୧ ଥରରେ ପହଞ୍ଚିଛି। ୧୯୯୩ ମସିହାରେ ଯୁକ୍ତ ତିନି ପଢ଼ୁଥିବା ସମୟରେ ସହପାଠୀ ବନ୍ଧୁ ସନ୍ତୋଷ କୁମାର ପୂପକାର (ଦୁଲୁ)ଙ୍କ ଅନୁରୋଧ କ୍ରମେ ପ୍ରଥମ ଥର ପାଇଁ ଜଣେ ଗର୍ଭବତୀ ମହିଳାଙ୍କୁ ରକ୍ତଦାନ କରିଥିଲେ। ସେହି ଦିନଠାରୁ ଆରମ୍ଭ ହୋଇଥିବା ଏହି ମହତ୍ କାର୍ଯ୍ୟ ଆଜି ତାଙ୍କ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି।ରକ୍ତ ଅଭାବରୁ ଯେପରି କାହାରି ଜୀବନ ନଯାଉ, କେହି ଯେପରି ଚିକିତ୍ସା ସମୟରେ ରକ୍ତ ପାଇଁ ହଇରାଣ ନହୁଅନ୍ତି, ତାହା ହିଁ ଶ୍ରୀ ପରିଡ଼ାଙ୍କ ଜୀବନର ମୂଳ ଲକ୍ଷ୍ୟ। ଏହି ମହତ୍ ଉଦ୍ଦେଶ୍ୟକୁ ନେଇ ସେ ଦୀର୍ଘ ବର୍ଷ ଧରି ନିରନ୍ତର ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଏହି ମାନବୀୟ କାର୍ଯ୍ୟରେ ସାମିଲ ହେବାକୁ ପ୍ରେରିତ କରିଆସୁଛନ୍ତି।କେବଳ ନିଜେ ରକ୍ତଦାନ କରିବାରେ ସେ ସୀମିତ ନାହାନ୍ତି। ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରି ଯୁବକ ଯୁବତୀମାନଙ୍କୁ ରକ୍ତଦାନର ମହତ୍ତ୍ୱ ବୁଝାଇବା ସହ ଏହାର ଉପକାରିତା ସମ୍ପର୍କରେ ସଚେତନ କରୁଛନ୍ତି। ରକ୍ତଦାନକୁ ନେଇ ମନରେ ଥିବା ଭୟ ଓ ଦ୍ୱନ୍ଦ୍ୱ ଦୂର କରି ସେମାନଙ୍କୁ ରକ୍ତଦାନ ପାଇଁ ସାହସ ଯୋଗାଇ ଦେଉଛନ୍ତି। ତାଙ୍କର ଏହି ଉଦ୍ୟମ ଅନେକ ଯୁବକ ଯୁବତୀଙ୍କୁ ମାନବ ସେବାର ପଥରେ ଆଗେଇ ନେବାରେ ସହାୟକ ହୋଇଛି। ରକ୍ତଦାନ କ୍ଷେତ୍ରରେ ତାଙ୍କର ଏହି ନିଷ୍ଠା ଓ ସମର୍ପଣ ପାଇଁ ବିଭିନ୍ନ ମହଲରୁ ସେ ସମ୍ମାନିତ ହୋଇଛନ୍ତି। ପୋଲିସ ପକ୍ଷରୁ ମଧ୍ୟ ରକ୍ତଦାନ ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି।୨୦୨୩ ମସିହାରେ ଜାତୀୟ ରାଜ୍ୟ ଦିବସ ଅବସରରେ ମଧ୍ୟ ସେ ସମ୍ମାନିତ ହୋଇଥିଲେ। ଏହାବ୍ୟତୀତ ବିଭିନ୍ନ ସଭା ସମିତି ଓ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଅନେକ ଥର ସମ୍ମାନିତ କରାଯାଇଛି। ୧୦୧ ଥର ରକ୍ତଦାନର ଏହି ମହାନ ଉପଲବ୍ଧିକୁ ନେଇ ଶ୍ରୀ ପରିଡ଼ା ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ। ତାଙ୍କ ମତରେ, ରକ୍ତଦାନ କରି ଅନ୍ୟର ମୁହଁରେ ହସ ଫୁଟାଇବା ଏବଂ କାହାରି ଜୀବନ ବଞ୍ଚାଇବାରେ ସହଯୋଗୀ ହେବା ଏକ ବଡ଼ ସୌଭାଗ୍ୟ। ତାଙ୍କର ଏହି ନିଃସ୍ୱାର୍ଥପର ମନୋଭାବ ସମାଜ ପାଇଁ ଏକ ପ୍ରେରଣାଦାୟୀ ବାର୍ତ୍ତା।ଶିକ୍ଷକ ଭାବେ ଜ୍ଞାନର ଆଲୋକ ବାଣ୍ଟୁଥିବା କିଶୋର କୁମାର ପରିଡ଼ା ରକ୍ତଦାନ ମାଧ୍ୟମରେ ମାନବିକତାର ଆଲୋକ ମଧ୍ୟ ବିଞ୍ଚି ଚାଲିଛନ୍ତି। ତାଙ୍କର ୧୦୧ ଥର ରକ୍ତଦାନ କେବଳ ଏକ ସଂଖ୍ୟା ନୁହେଁ, ବରଂ ଏହା ଦୀର୍ଘ ବର୍ଷର ତ୍ୟାଗ, ସେବା, ସମର୍ପଣ ଓ ମାନବିକତାର ଏକ ଅମୂଲ୍ୟ ଉଦାହରଣ। ଏଭଳି ମହାନ ବ୍ୟକ୍ତିତ୍ୱଙ୍କ ପାଇଁ ନୂଆପଡ଼ା ଜିଲ୍ଲା ଆଜି ଗର୍ବିତ।
