ଏନ୍ଏସି ଘୋଷଣାରେ ଅଟକିଛି କୋମନା ଓ ସିନାପାଲି
ନୂଆପଡ଼ା: ( ସୁରେଶ ଦଣ୍ଡସେନା )
ନୂଆପଡ଼ା ଉପନିର୍ବାଚନ ପୂର୍ବରୁ କୋମନା ଓ ସିନାପାଲିକୁ ଏନ୍ଏସି ମାନ୍ୟତା ଦେବା ପାଇଁ ଘୋଷଣା ହେଇଥିବା ବେଳେ ଆଜକୁ ପ୍ରାୟ ବର୍ଷେରୁ ଉର୍ଦ୍ଧ୍ବ ହେଲାଣି,ହେଲେ ଘୋଷଣା ପରେ ଦୀର୍ଘ ସମୟ ବିତିଥିଲେ ମଧ୍ୟ ଏହାର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ନେଇ ଏବେ ବି ସ୍ପଷ୍ଟତା ଆସିନାହିଁ।ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଘୋଷଣା କେବେ ବାସ୍ତବ ରୂପ ନେବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ୨୦୨୫ ଅକ୍ଟୋବର ୬ ତାରିଖରେ ନୂଆପଡ଼ା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋମନାକୁ ଏଏସି ମାନ୍ୟତା ଦେବା ସହ ସିନାପାଲି ଓ ଗୋଡାଲ ଗ୍ରାମପଞ୍ଚାୟତକୁ ମିଶାଇ ସିନାପାଲି ଏନ୍ଏସି ଗଠନ କରାଯିବ ବୋଲି ଘୋଷଣା କରିଥିଲେ |ଉପନିର୍ବାଚନ ପୂର୍ବରୁ ହୋଇଥିବା ଏହି ଘୋଷଣାକୁ ନେଇ କୋମନା ଓ ସିନାପାଲି ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଥିଲା। କୋମନାକୁ ଏଏସି ମାନ୍ୟତା ଦେବା ଦାବି ଦୀର୍ଘଦିନର ଏହି ଦାବିକୁ ନେଇ ୨୦୨୪ରେ କୋମନାରେ ବନ୍ଦ ପାଳନ ମଧ୍ୟ କରାଯାଇଥିଲା।ତେଣୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବ ବୋଲି ଆଶା ବଢ଼ିଥିଲା।ଅନ୍ୟପକ୍ଷରେ, ୨୦୨୬ ମାର୍ଚ୍ଚରେ ଓଡ଼ିଶା ବିଧାନସଭାରେ ସିନାପାଲିକୁ ନୂଆ ଏଏସି ଘୋଷଣା କରାଯାଇଛି କି ନାହିଁ ଏବଂ ଏହା କେବେ କାର୍ଯ୍ୟକାରୀ ହେବ, ସେନେଇ ପ୍ରଶ୍ନ ଉଠିଥିଲା। ଘୋଷଣା ଓ ପ୍ରଶାସନିକ କାର୍ଯ୍ୟାନ୍ୱୟନ ମଧ୍ୟରେ ଥିବା ଦୂରତା ଏବେ ଅଞ୍ଚଳବାସୀଙ୍କ ଚିନ୍ତାର କାରଣ ହୋଇଛି।ବର୍ତ୍ତମାନ ଜିଲ୍ଲା ପ୍ରଶାସନିକ ତାଲିକାରେ କୋମନା ଓ ସିନାପାଲିକୁ ସ୍ୱତନ୍ତ୍ର ଏନ୍ ଏସି ଭାବେ ଦର୍ଶାଯାଇନଥିବାରୁ ମଧ୍ୟ ଏହି ପ୍ରସଙ୍ଗ ଆହୁରି ଚର୍ଚ୍ଚାରେ ରହିଛି।ଏହା ଏନ୍ଏସି ଗଠନ ପ୍ରକ୍ରିୟା କେଉଁ ସ୍ତରରେ ରହିଛି,ସରକାରୀ ବିଜ୍ଞପ୍ତି କେବେ ପ୍ରକାଶ ପାଇବ ଏବଂ ନୂଆ ଏନ୍ଏସି କେବେଠାରୁ କାର୍ଯ୍ୟକ୍ଷମ ହେବ ଏସବୁ ପ୍ରଶ୍ନର ଉତ୍ତର ଏବେ ଅପେକ୍ଷାରେ।ଏନ୍ଏସି ମାନ୍ୟତା ମିଳିଲେ ଅଞ୍ଚଳର ରାସ୍ତାଘାଟ, ଡ୍ରେନେଜ୍, ପାନୀୟଜଳ, ପରିମଳ, ଆଲୋକୀକରଣ ଓ ଅନ୍ୟାନ୍ୟ ସହରୀ ଭିଭିଭୂମିର ବିକାଶ ସ୍ୱରାନ୍ବିତ ହେବ ବୋଲି ଅଞ୍ଚଳବାସୀ ଆଶା ରଖୁଛନ୍ତି।ତେଣୁ କେବଳ ଘୋଷଣା ନୁହେଁ, ଏହାର ଶୀଘ୍ର ପ୍ରଶାସନିକ କାର୍ଯ୍ୟାନ୍ଵୟନ ଦାବି ଜୋର ଧରିଛି।ଏବେ ଅଞ୍ଚଳବାସୀଙ୍କ ନଜର ସରକାରୀ ବିଜ୍ଞପ୍ତି ଓ ପରବର୍ତ୍ତୀ ପ୍ରଶାସନିକ ପଦକ୍ଷେପ ଉପରେ।ଉପନିର୍ବାଚନ ପୂର୍ବରୁ ହୋଇଥିବା ଘୋଷଣା କେବେ ବାସ୍ତବ ରୂପ ନେବ ଏବଂ କୋମନା ଓ ସିନାପାଲିବାସୀଙ୍କ ଦୀର୍ଘଦିନର ଆଶା କେବେ ପୂରଣ ହେବ, ତାହା ଏବେ ଦେଖିବାକୁ ରହିଲା।
