ନୁଆପଡ଼ା : ରିପୋର୍ଟ ( ସୁରେଶ ଦଣ୍ଡସେନା )
ନୁଆପଡା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ କାଣ୍ଡେତରାରେ ଆସନ୍ତା ନଭେମ୍ବର ୨୧ ତାରିଖ ଦିନ ନୂତନ ଛେଳି ବଜାରର ଶୁଭ ଉଦ୍ଘାଟନ ହେବାକୁ ଯାଉଛି। ଏହାକୁ ସଫଳ ଓ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବଜାରକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ସହ ଏଠାକୁ ଆସୁଥିବା ଚାଷୀ ଓ ବ୍ୟବସାୟୀଙ୍କୁ ଆବଶ୍ୟକ ସମସ୍ତ ସୁବିଧା ଯୋଗାଇଦେବା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।ବୈଠକରେ ବଜାରର ସ୍ଥାନ, ଯାନବାହନ ପାର୍କିଙ୍ଗ ବ୍ୟବସ୍ଥା, ଛେଳି କ୍ରୟ ବିକ୍ରୟର ସୁପରିଚାଳନା ଓ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ବ ଦିଆଯାଇଥିଲା।ଏଥିସହ ଅତିଥିମାନଙ୍କ ସ୍ବାଗତ ସମ୍ବର୍ଦ୍ଧନା ପ୍ରସ୍ତୁତି ନେଇ ମଧ୍ୟ ଆବଶ୍ୟକ ଆଲୋଚନା ହୋଇଥିଲା।ନୂତନ ଛେଳି ବଜାର ଆରମ୍ଭ ହେବା ଦ୍ବାରା ଛେଳି ଚାଷୀମାନେ ସେମାନଙ୍କ ଛେଳିକୁ ସୁବିଧାରେ ବିକ୍ରି କରିବାର ସୁଯୋଗ ପାଇବା ସହ ବ୍ୟବସାୟୀ ମାନେ ମଧ୍ୟ ଉପକୃତ ହେବେ। ଫଳରେ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ କାରବାର ସୁଦୃଢ଼ ହେବା ସହ ଗ୍ରାମୀଣ ଅର୍ଥନୀତିକୁ ନୂତନ ଦିଗ ମିଳିବ ବୋଲି ଆଶା କରାଯାଉଛି।ପ୍ରସ୍ତୁତି ବୈଠକରେ ପୂର୍ବତନ ସରପଞ୍ଚ ତାତୁରାମ ମଲ୍ଲିକ, ପୁରେନ୍ଦ୍ର ସତନାମୀ, ଦଶମୁ ସତନାମୀ, ଜ୍ଞାନେଶ୍ବର ରଣା, ସୁରେନ୍ଦ୍ର ସତନାମୀ, ଅସୀମ ବେଗ, କ୍ଷମାସାଗର ସତନାମି, ଲଛମନ ସତନାମି,ସୁରେନ୍ଦ୍ର ଦାସ, ମନଧର ବଗର୍ତ୍ତି, କରନ ଦାସ,କଉସର ଖାନ ପ୍ରମୁଖ ଉପସ୍ଥିତ ଥିଲେ।
