ନୂଆପଡ଼ା : ରିପୋର୍ଟ ( ସୁରେଶ ଦଣ୍ଡସେନା )
ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଭାଲେଶ୍ଵର ପଞ୍ଚାୟତ ସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି। ଏହି ମେଳାରେ ବିଜ୍ଞାନ ଶିକ୍ଷକ ମାନଙ୍କ ମାର୍ଗଦର୍ଶନରେ ଛାତ୍ରଛାତ୍ରୀମାନେ ୪୨ଟି ବିଭିନ୍ନ ବିଜ୍ଞାନ ଭିତ୍ତିକ ପ୍ରକଳ୍ପ ଓ ମଡେଲ୍ ପ୍ରଦର୍ଶନ କରି ନିଜସ୍ୱ ସୃଜନଶୀଳତା, ବୈଜ୍ଞାନିକ ଚିନ୍ତନ ତଥା ଉଦ୍ଭାବନୀ ଦକ୍ଷତାର ପରିଚୟ ଦେଇଥିଲେ।ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ ନିମନ୍ତେ ବେଲଟୁକରି ବିଦ୍ୟାଳୟର ଗଣିତ ଶିକ୍ଷକ ସନ୍ତୋଷ ମହାପାତ୍ର ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନେଗୀପାଲିର ବିଜ୍ଞାନ ଶିକ୍ଷକ ଝସକେତନ ଧରୁଆ ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପଗୁଡ଼ିକର ମୌଳିକତା, କାର୍ଯ୍ୟକାରିତା ଓ ବୈଜ୍ଞାନିକ ଉପଯୋଗିତାକୁ ଆଧାର କରି ମୂଲ୍ୟାୟନ କରିଥିଲେ।ଏହି ଅବସରରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଦ୍ୟାଧର ସାହୁ, ରାମନାଥ ଧରୁଆ ଓ ଭୋଳାନାଥ ଚନ୍ଦ୍ରକାର ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିବା ସହ ବିଜ୍ଞାନ ମନସ୍କତା, ଗବେଷଣାଧର୍ମୀ ମନୋଭାବ ଓ ନବସୃଜନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଙ୍କଜ କୁମାର ଭୋଇଙ୍କ ମାର୍ଗଦର୍ଶନ ଓ ତତ୍ତ୍ୱାବଧାନରେ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି ବିଜ୍ଞାନ ମେଳା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ, ଅନୁସନ୍ଧିତ୍ସା ଓ ସୃଜନଶୀଳ ପ୍ରତିଭାର ବିକାଶ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ପରିଗଣିତ ହୋଇଛି।ଏହି ବିଜ୍ଞାନ ମେଳାରେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ଏବଂ ଭାଲେଶ୍ଵର ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
