
ନୂଆପଡ଼ା ରିପୋର୍ଟ୍:(ସୁରେଶ ଦଣ୍ଡସେନା )
ନୂଆପଡ଼ାରେ ପରିବେଶ ସୁରକ୍ଷା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ପ୍ରଦୂଷଣ ନିୟନ୍ତ୍ରଣକୁ ସୁଦୃଢ଼ କରିବା ନେଇ ୪ର୍ଥ ଜିଲ୍ଲାସ୍ତରୀୟ ପରିବେଶ ନିରୀକ୍ଷଣ କମିଟି ବୈଠକ ଜିଲ୍ଲାପାଳ ତଥା କମିଟି ଅଧ୍ୟକ୍ଷ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ବୈଠକ ଆରମ୍ଭରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବଲାଙ୍ଗୀରର ଆଞ୍ଚଳିକ ଅଧିକାରୀ ବବିତା ସିଂହ ଆଞ୍ଚଳିକ କାର୍ଯ୍ୟାଳୟ ଓ ନୂଆପଡ଼ା ଖଣି ବିଭାଗ ପକ୍ଷରୁ କ୍ରସର୍ ୟୁନିଟ୍ଗୁଡ଼ିକର ଯୁଗ୍ମ ଯାଞ୍ଚ ସମ୍ପନ୍ନ ହୋଇଥିବା ସୂଚନା ଦେଇଥିଲେ। ରାଇସ୍ ମିଲ୍ଗୁଡ଼ିକର ନିୟମିତ ଯାଞ୍ଚ ଓ ପରିବେଶ ନିୟମ ଉଲ୍ଲଂଘନ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ନେଇ ମଧ୍ୟ ଉପସ୍ଥାପନ କରିଥିଲେ।ବୈଠକରେ ହୋଟେଲଗୁଡ଼ିକର ପରିବେଶ ସମ୍ମତିପତ୍ର (Consent to Establish/Consent to Operate) ଓ ବର୍ଜ୍ୟଜଳ ବିଶୋଧନାଗାର (Sewage Treatment Plant–STP) ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ନିୟମାନୁସାରେ ଆବଶ୍ୟକ STP ନଥିବା କିମ୍ବା ପରିବେଶ ନିୟମ ଉଲ୍ଲଂଘନ କରୁଥିବା ହୋଟେଲ ବିରୋଧରେ ଆବଶ୍ୟକତାନୁସାରେ ସିଲ୍ ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ତହସିଲଦାର, ବିଡିଓ ଓ ଥାନା ଅଧିକାରୀମାନେ ନିଜ ଅଞ୍ଚଳରେ ନିୟମିତ ଯାଞ୍ଚ କରିବାକୁ କୁହାଯାଇଥିଲା।
କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ସୁଦୃଢ଼ କରିବା ସହ ବର୍ଜ୍ୟରୁ ସମ୍ପଦ ସୃଷ୍ଟି (Waste to wealth, best for health) ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଏଥିପାଇଁ ଏନ୍ଏସିଗୁଡ଼ିକୁ ବର୍ଜ୍ୟ ଶ୍ରେଡିଂ ମେସିନ୍ କ୍ରୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ମୂର୍ତ୍ତି ନିର୍ମାଣ ସ୍ଥଳରେ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ (POP) ଓ ଅନ୍ୟ ପ୍ରଦୂଷଣକାରୀ ସାମଗ୍ରୀର ବ୍ୟବହାର ଯାଞ୍ଚ କରିବାକୁ ବିଡିଓ, ତହସିଲଦାର ଓ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କୁହାଯାଇଥିଲା। ମୂର୍ତ୍ତି ବିସର୍ଜନ ପାଇଁ ନିର୍ଦ୍ଦିଷ୍ଟ ପୋଖରୀ ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।ସେହିପରି, ସେପ୍ଟେମ୍ବର ୫ରେ ପରିବେଶ ସଚେତନତା ଅଭିଯାନ ଆୟୋଜନ କରିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ କର୍ମଶାଳା ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଥିଲା।ବୈଠକରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଦ୍ୱାରିକାନାଥ ଶତପ2ଥୀ, ଜିଏମ୍, ଡିଆଇସି ସମୀର ମୁଦୁଲି, ଖଡ଼ିଆଳ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ ମହାରଣା, ଖଡ଼ିଆର ରୋଡ୍ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାଏକ, ଡିଆର୍ସି ଅନିଲ କୁମାର ଲେଙ୍କାଙ୍କ ସମେତ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
