ଖୋର୍ଦ୍ଧା ୧୩। ୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ନେଇ ଓଡ଼ିଶାରେ ଆରମ୍ଭ ହେବ ମାସେ ବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’। ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଜନସେବା, ସାମାଜିକ ଦାୟିତ୍ୱ ଓ ଜନଭାଗିଦାରୀକୁ ପ୍ରାଥମିକତା ଦିଆଯିବ। ‘ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା’କୁ ମୁଖ୍ୟ ବାର୍ତ୍ତା ଭାବେ ନେଇ ଅଭିଯାନକୁ ବ୍ୟାପକ କରାଯିବ।
ଏହି ଅଭିଯାନ କେବଳ ଏକ ଦଳୀୟ କାର୍ଯ୍ୟକ୍ରମ ନୁହେଁ, ବରଂ ସମାଜର ବିଭିନ୍ନ ବର୍ଗଙ୍କୁ ଏକାଠି କରି ସେବା କାର୍ଯ୍ୟରେ ସାମିଲ କରିବାର ଏକ ପ୍ରୟାସ ବୋଲି ଆୟୋଜକମାନେ କହିଛନ୍ତି। ଏଥିପାଇଁ ୧୩ଟି ପ୍ରମୁଖ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ ହୋଇଛି।
ଅଭିଯାନ ଅଧୀନରେ ରକ୍ତଦାନ ଶିବିର, ‘ଆଶୀର୍ବାଦର ଦୀପ’, ଚିତ୍ରାଙ୍କନ ଓ ଭାଷଣ ପ୍ରତିଯୋଗିତା, ‘ନମୋ ସେବା ଗାଥା’, ଅଙ୍ଗନବାଡ଼ି ଉତ୍ସବ, ‘ପରିବର୍ତ୍ତନର କାହାଣୀ’, ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’, ‘ସେବା ଜ୍ୟୋତି ଯାତ୍ରା’, ‘ସେବା ଓ ମୋର ଯୋଗଦାନ’, ‘ସେବା ସେତୁ ଅଭିଯାନ’, ‘ରଙ୍ଗୋଲି ସେବା’ ଓ ‘ଜନସେବାର ମହାକୁମ୍ଭ’ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ସେପ୍ଟେମ୍ବର ୧୭ରୁ ୨୫ ମଧ୍ୟରେ ରକ୍ତଦାନ ଶିବିର ସହ ବିଦ୍ୟାଳୟଗୁଡ଼ିକରେ ‘ମୋ ସ୍ୱପ୍ନର ଭାରତ’କୁ ନେଇ ଚିତ୍ରାଙ୍କନ, ରଚନା ଓ ଭାଷଣ ପ୍ରତିଯୋଗିତା ହେବ। ଛାତ୍ରଛାତ୍ରୀଙ୍କ ମନରେ ଦେଶ ଗଠନର ଚିନ୍ତାଧାରା ସୃଷ୍ଟି କରିବା ସହ ଭବିଷ୍ୟତର ଭାରତ ସମ୍ପର୍କରେ ସେମାନଙ୍କ ସ୍ୱପ୍ନ ଓ ଚିନ୍ତାଧାରାକୁ ଏହା ମାଧ୍ୟମରେ ପ୍ରକାଶର ସୁଯୋଗ ମିଳିବ।
ସେହିପରି ଅଙ୍ଗନବାଡ଼ି କେନ୍ଦ୍ରରେ ପୋଷଣ ଓ ଶିଶୁ ବିକାଶକୁ ନେଇ କାର୍ଯ୍ୟକ୍ରମ ହେବ। ମହିଳା, ଶିଶୁ, ଯୁବପିଢ଼ି ଓ ସାଧାରଣ ଲୋକଙ୍କୁ ସେବା କାର୍ଯ୍ୟ ସହ ଯୋଡ଼ିବା ପାଇଁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ମଧ୍ୟ ନିଆଯିବ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଓ ପବିତ୍ର ମୋହନ ଦାସ ଯୋଗଦେଇଥିଲେ। ବିଜେପି ଜିଲ୍ଲା ସଭାପତି ଲୁଲୁବଡ଼ ଜେନା ମଧ୍ୟ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ଜନସେବାକୁ ଅଧିକ ବ୍ୟାପକ କରିବା ସହ ତୃଣମୂଳସ୍ତରରେ ଲୋକଙ୍କୁ ଅଭିଯାନ ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
‘ବିକଶିତ ଭାରତ–୨୦୪୭’ର ସଂକଳ୍ପ ସହ ‘ବିକଶିତ ଓଡ଼ିଶା’ ଗଠନ ଦିଗରେ ଜନସାଧାରଣଙ୍କ ସକ୍ରିୟ ଭାଗିଦାରୀ ହିଁ ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। ସେବାକୁ ସଂକଳ୍ପରେ ପରିଣତ କରି ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ସେବାର ସୁଫଳ ପହଞ୍ଚାଇବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଛି।
