ନୂଆପଡ଼ା:ରିପୋର୍ଟ(ସୁରେଶ ଦଣ୍ଡସେନା)
ପିଏମ୍-କିଷାନ ଉତ୍ସବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ବନାସକାଣ୍ଠା ଜିଲ୍ଲାରେ ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରିଛନ୍ତି। ଏହି କିସ୍ତିରେ ଦେଶର ୯ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଚାଷୀ ପିଛା ୨,୦୦୦ ଟଙ୍କା ହିସାବରେ ଅର୍ଥରାଶି ହସ୍ତାନ୍ତର କରାଯାଇଛି।
ଏହି ଅବସରରେ ଭୁବନେଶ୍ୱରସ୍ଥିତ ଓୟୁଏଟିର କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଓଡ଼ିଶାର ୩୫,୩୯,୨୯୭ ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ମୋଟ ୭୦୭.୮୫ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି।ନୂଆପଡ଼ା ଜିଲ୍ଲାରେ ଜିଲ୍ଲାସ୍ତରୀୟ ପିଏମ୍-କିଷାନ ଉତ୍ସବ ଦିବସ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର, ଶିଲଦାଠାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ନୂଆପଡ଼ା ଜିଲ୍ଲାର ୮୬,୬୬୦ ଜଣ ଚାଷୀ ୨,୦୦୦ ଟଙ୍କା ହିସାବରେ ୨୪ତମ କିସ୍ତି ପାଇଛନ୍ତି।କୋମନା ବ୍ଲକ୍ର ସର୍ବାଧିକ ୨୦,୯୫୨ ଜଣ ଚାଷୀ ଏହି ଯୋଜନାରେ ଉପକୃତ ହୋଇଥିବାବେଳେ ସିନାପାଲି ବ୍ଲକ୍ର ୨୦,୪୧୩, ଖରିଆର ବ୍ଲକ୍ର ୧୬,୧୩୧, ନୂଆପଡ଼ା ବ୍ଲକ୍ର ୧୫,୨୭୪ ଏବଂ ବୋଡ଼େନ ବ୍ଲକ୍ର ୧୩,୮୯୦ ଜଣ ଚାଷୀ ଏହି କିସ୍ତିରେ ଅନ୍ତର୍ଭୁକ୍ତ ହୋଇଛନ୍ତି।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ସାଂସଦଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, ନୂଆପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଜଗବନ୍ଧୁ ପଟେଲଙ୍କ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ବହୁ ସଂଖ୍ୟାରେ ଚାଷୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
