ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଓ ପିଲାଙ୍କୁ ଉତ୍ତରାଧିକାରୀ ତାଲିକାରୁ ବାଦ୍ ଦେବାକୁ ଉଦ୍ୟମ, ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ତହସିଲରେ ଲିଗାଲ୍ ହେୟାର ପ୍ରମାଣପତ୍ରକୁ ନେଇ ଜାଲିଆତି ଅଭିଯୋଗ ବଢ଼ିବାରେ ଲାଗିଛି। ପୂର୍ବରୁ ଖୋର୍ଦ୍ଧା ତହସିଲରୁ ଏଭଳି ଅଭିଯୋଗ ଆସିଥିବା ବେଳେ ଏବେ ଭୁବନେଶ୍ୱର ତହସିଲକୁ ନେଇ ସାମ୍ନାକୁ ଆସିଛି ଆଉ ଏକ ଅଭିଯୋଗ।ଭୁବନେଶ୍ୱରର ବାସିନ୍ଦା କଳ୍ପନା ଭୂୟାଁ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଥିବା ଅଭିଯୋଗ ଅନୁଯାୟୀ, ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ଦେଢ଼ସୁର ଲିଗାଲ୍ ହେୟାର ପ୍ରମାଣପତ୍ରରୁ ତାଙ୍କ ସମେତ ପିଲାମାନଙ୍କ ନାମ ବାଦ୍ ଦେଇ ସମସ୍ତ ସମ୍ପତ୍ତି ନିଜ ନାମରେ କରିବାକୁ ଉଦ୍ୟମ କରୁଛନ୍ତି। ଏନେଇ ପୂର୍ବରୁ ସେ ଅଭିଯୋଗ କରିବା ପରେ ଏହି ଉଦ୍ୟମ ବନ୍ଦ ହୋଇଥିଲା। ମାତ୍ର ପୁଣିଥରେ ତାଙ୍କୁ ଓ ତାଙ୍କ ପିଲାମାନଙ୍କୁ ସମ୍ପତ୍ତିରୁ ବଞ୍ଚିତ କରିବା ଉଦ୍ଦେଶ୍ୟରେ ପ୍ରମାଣପତ୍ରରେ ଚଞ୍ଚକତା କରାଯାଉଥିବା ସେ ଅଭିଯୋଗ କରିଛନ୍ତି।ଏପରିକି ବିଭିନ୍ନ ଲୋକଙ୍କ ଜରିଆରେ ତାଙ୍କୁ ଭୟଭୀତ କରାଯାଉଥିବା ନେଇ ମଧ୍ୟ କଳ୍ପନା ଅଭିଯୋଗ ଆଣିଛନ୍ତି। ଏହି ଘଟଣାକୁ ନେଇ ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି ସେ।ଅନ୍ୟପକ୍ଷରେ ଜିଲ୍ଲାପାଳ ଅଭିଯୋଗ ସମ୍ପର୍କରେ ସମସ୍ତ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି। ତଦନ୍ତରେ ଯଦି କୌଣସି ପ୍ରକାର ଜାଲିଆତି ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଲିଗାଲ୍ ହେୟାର ପ୍ରମାଣପତ୍ର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍କୁ ନେଇ ବାରମ୍ବାର ଏଭଳି ଅଭିଯୋଗ ଆସିବା ପରେ ତହସିଲ ସ୍ତରରେ ଦସ୍ତାବିଜ୍ ଯାଞ୍ଚ ଓ ପ୍ରମାଣପତ୍ର ଜାରି ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିଛି।
