ଧର୍ମଶାଳା (ବିନୋଦ ବିହାରୀ ସାହୁ )ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଶୁଭେଚ୍ଛା, ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସହାୟତା ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଆସିଛି ଆଉ ଏକ ଗୌରବମୟ ମୁହୂର୍ତ୍ତ। ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ ଭାରତୀୟ ମହିଳା ‘ଏ’ କ୍ରିକେଟ୍ ଦଳରେ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଅଷ୍ଟ୍ରେଲିଆ ‘ଏ’ ବିପକ୍ଷରେ ଭାରତୀୟ ଦଳ ପକ୍ଷରୁ ବହୁଦିବସୀୟ ନାଲି ବଲ୍ ମ୍ୟାଚ୍ ଖେଳିବାର ସୁଯୋଗ ତାଙ୍କ ପ୍ରତିଭା, ନିଷ୍ଠା ଓ ଅଦମ୍ୟ ପରିଶ୍ରମର ଏକ ବଡ଼ ସ୍ୱୀକୃତି।ଜାଗୃତି କ୍ରିକେଟ୍ ଏକାଡେମୀରୁ ଆରମ୍ଭ ହୋଇଥିବା ଦିବ୍ୟଦର୍ଶିନୀଙ୍କ କ୍ରିକେଟ୍ ଯାତ୍ରା ଆଜି ଭାରତୀୟ ‘ଏ’ ଦଳ ପର୍ଯ୍ୟନ୍ତ ପହଞ୍ଚିଛି। ଏହି ସଫଳତା ପଛରେ ରହିଛି ଦୀର୍ଘ ସଂଘର୍ଷ, କଠିନ ପରିଶ୍ରମ, ଶୃଙ୍ଖଳା ଓ ନିଜ ସ୍ୱପ୍ନ ପ୍ରତି ଅଟୁଟ ନିଷ୍ଠା। ତାଙ୍କର ଏହି ସଫଳତା ଓଡ଼ିଶାର ଅନେକ ଯୁବତୀଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବାକୁ ନିଶ୍ଚିତ ଭାବେ ପ୍ରେରଣା ଦେବ।ଏହି ଗୌରବମୟ ସଫଳତା ପାଇଁ ଧର୍ମଶାଳାର ପ୍ରିୟ ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ ଦିବ୍ୟଦର୍ଶିନୀଙ୍କୁ ଅନ୍ତରରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ଦିନରେ ସେ ଆହୁରି ଉଚ୍ଚସ୍ତରରେ ସଫଳତା ହାସଲ କରି ଓଡ଼ିଶା ତଥା ଭାରତର ଗୌରବ ବଢ଼ାନ୍ତୁ ବୋଲି ବିଧାୟକ ଶ୍ରୀ ସାହୁ ଶୁଭକାମନା ଜଣାଇଛନ୍ତି।ଯୁବ କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହନ ଦେବା ଓ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମଧ୍ୟ ଦିବ୍ୟଦର୍ଶିନୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ପଦକ୍ଷେପ ଯୁବ ପ୍ରତିଭାଙ୍କୁ ଆହୁରି ଉତ୍ସାହିତ କରିବା ସହ କ୍ରୀଡ଼ା କ୍ଷେତ୍ରରେ ନୂଆ ସ୍ୱପ୍ନ ଦେଖୁଥିବା ଯୁବପିଢ଼ି ପାଇଁ ଏକ ଉତ୍ସାହର ବାର୍ତ୍ତା ଦେଇଛି। ଉତ୍କଳ ମାଟିର ଝିଅ ଦିବ୍ୟଦର୍ଶିନୀଙ୍କ ଏହି ସଫଳତାର ଯାତ୍ରା ଆହୁରି ଦୀର୍ଘ ହେଉ। ତାଙ୍କ ବ୍ୟାଟ୍ରୁ ଆହୁରି ଅନେକ ଗୌରବମୟ ଅଧ୍ୟାୟ ଲେଖାଯାଉ—ଏହା ହିଁ ସମଗ୍ର ଓଡ଼ିଶାର ଶୁଭକାମନା।
