ନୂଆପଡ଼ା ଜିଲ୍ଲାରେ ଦାଦନ ସମସ୍ୟାର ସମାଧାନ କେବେ?
ନୂଆପଡ଼ା : ( ସୁରେଶ ଦଣ୍ଡସେନା )
ବିଭିନ୍ନ ପର୍ବ ସରିଲା ପରେ ନୂଆପଡ଼ା ଜିଲ୍ଲାରେ ଦାଦନ ଚାଲାଣ ବଢ଼ିବାରେ ଲାଗିଛି,ଯେ ପରିକି ନୂଆଁଖାଇ, ଦଶହରା ଓ ଦୀପାବଳି ପର୍ବ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶ୍ରମିକଙ୍କୁ ବାହାର ରାଜ୍ୟର ଇଟାଭାଟିକୁ ନେବା ଲାଗି ଦାଦନ ସର୍ଦ୍ଦାରମାନେ ସକ୍ରିୟହୋଇପଡ଼ିଛନ୍ତି।ତେଲେଙ୍ଗାନା, ଅନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟକୁ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଛି।ବିଶେଷକରି ବିଭିନ୍ନ ଅଞ୍ଚଳରୁ ବସ୍ ଯୋଗେ ଏବଂ ରେଳଷ୍ଟେସନ୍ ଦେଇ ଶ୍ରମିକଙ୍କୁ ବାହାର ରାଜ୍ୟକୁ ନିଆଯାଉଥିବା ସୂଚନା ମିଳୁଛି।ଶ୍ରମିକ ଚାଲାଣ ରୋକିବାକୁ ନଜରଦାରି ବ୍ୟବସ୍ଥା କେତେ ମଜଭୁତ,ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।ସୂଚନା ଅନୁସାରେ,ଇଟାଭାଟି ମାଲିକ ଓ ଦାଦନ ସର୍ଦ୍ଦାରମାନେ ଗାଁ ଗାଁକୁ ଯାଇ ଶ୍ରମିକ ପରିବାରଙ୍କୁ ଅଗ୍ରିମଟଙ୍କା ପ୍ରଦାନ କରୁଛନ୍ତି।ଅଧିକ ରୋଜଗାରର ପ୍ରତିଶ୍ରୁତି ଦେଇ ଶ୍ରମିକଙ୍କୁ ବାହାର ରାଜ୍ୟକୁ ନେବା ଲାଗି ଚୁକ୍ତି କରାଯାଉଛି।ସ୍ଥାନୀୟ ଅଞ୍ଚଳରେ ନିୟମିତ କାମ ଓ ରୋଜଗାରର ସୁଯୋଗ ଅଭାବରୁ ଆର୍ଥିକ ଅନଟନରେ ଥିବା ପରିବାର ଏଭଳି ପ୍ରସ୍ତାବରେ ରାଜି ହେଉଛନ୍ତି।ପରବର୍ତ୍ତୀ ସମୟରେ ବାହାର ରାଜ୍ୟରେ ଶ୍ରମିକମାନେ ମଜୁରି ବକେୟା,ଅଧିକ କାର୍ଯ୍ୟ ସମୟ ଓ ଶୋଷଣର ଶିକାର ହେଉଥିବା ଅଭିଯୋଗ ମଧ୍ୟ ରହିଛି।ଦାଦନ ଚାଲାଣ ରୋକିବା ଦାୟିତ୍ଵ ଶ୍ରମ ବିଭାଗର ହୋଇଥିବା ସତ୍ତ୍ବେ ଜିଲ୍ଲାରେ ବିଭାଗ ପକ୍ଷରୁ ଆଦୃଶିଆ ପଦକ୍ଷେପ ନିଆଯାଉନାହିଁ।ଶ୍ରମ ବିଭାଗ ନୀରବ, ଅନ୍ୟପକ୍ଷରେ ନୂଆପଡ଼ା ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ଦାଦନ ସର୍ଦ୍ଦାରଙ୍କ ବିରୋଧରେ ଧରପଗଡ଼ ଓ ଯାଞ୍ଚ କରାଯାଉଛି।ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଦାଦନ ଚାଲାଣ ଉପରେ ରୋକ୍ ଲାଗିପାରୁନାହିଁ। ଜିଲ୍ଲାରୁ ପ୍ରତିବର୍ଷ ବହୁ ସଂଖ୍ୟକ ଶ୍ରମିକ ଜୀବିକା ଅନ୍ବେଷଣରେ ବାହାର ରାଜ୍ୟକୁ ଯାଉଥିବା ବେଳେ ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ଅନ୍ୟପଟେ ହୋଇପାରୁନାହିଁ।ଶ୍ରମ ବିଭାଗର ନିଷ୍କ୍ରିୟତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।ବସ୍ ଯୋଗେ ଏବଂ ବିଭିନ୍ନ ରେଳଷ୍ଟେସନ୍ ଦେଇ ହେଉଥିବା ଶ୍ରମିକ ଚାଲାଣ କେବେ ଅଙ୍କୁଶ ଲାଗିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ଦେଖିବାକୁ ରହିଲା ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର କି ପଦକ୍ଷେପ ଗ୍ରହଣ କରିବ।
