ଖୋର୍ଦ୍ଧା
ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ରାୟ ମହାପାତ୍ରଙ୍କ ୨୭୨ତମ ଜୟନ୍ତୀ ଉତ୍ସବ ଖୋର୍ଦ୍ଧା ବି.ଜେ.ବି. ହାଇସ୍କୁଲ ସଭାଗୃହରେ କଳିଙ୍ଗ ପାଇକ ସଂଗଠନର ସଭାପତି ଭୀମସେନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବକ୍ସି ଜଗବନ୍ଧୁ ଅଶ୍ୱ ପୃଷ୍ଠରେ ଆରୋହଣ କରିଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଆୟୋଜକ କଳିଙ୍ଗ ପାଇକ ସଂଗଠନର ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ ସଭାର ଆଭିମୁଖ୍ୟ ପ୍ରକାଶ କରିବା ସହ ଅତିଥିମାନଙ୍କୁ ମଞ୍ଚଙ୍କୁ ନିମନ୍ତ୍ରଣ କରିଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ବ୍ୟକ୍ତିମାନଙ୍କୁ ସ୍ୱାଗତ ଜଣାଇଥିଲେ । ସମ୍ପ୍ରତି କିଛି ଦିନ ତଳେ ଗଡ଼ାଧୀଶ ଦଳବେହେରା ମହାସଂଘ ନୂତନ ଭାବେ ଗଠିତ ହୋଇଥିବା ଓ ଏହାର ସଭାପତି ଭାବେ ବକ୍ସି ଜଗବନ୍ଧୁଙ୍କ ଦାୟାଦ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାରୁ ମହାସଂଘ ପକ୍ଷରୁ ତାଙ୍କୁ ଉତ୍ତରୀୟ ଫୁଲ ତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା ।
କଳିଙ୍ଗ ପାଇକ ସଂଗଠନର ମୁଖ୍ୟ ଉପଦେଷ୍ଟା ସତ୍ୟବାଦୀ ବଳିଆରସିଂହ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଐତିହାସିକ ଚକ୍ରଧର ମହାପାତ୍ରଙ୍କ ‘ରୋଡ଼ଙ୍ଗ ବକ୍ସି’ ପୁସ୍ତକ ଏବଂ ରବର୍ଟ ୱେଲ ଓ ଶଙ୍କର ବାଲକି୍ରଷ୍ଣନ ଦୀକ୍ଷିତଙ୍କ ସମ୍ପାଦିତ ‘ଦି ଇଣ୍ଡିଆନ କ୍ୟାଲେଣ୍ଡର’ ଅନୁସାରେ ବକ୍ସିଙ୍କ ଜନ୍ମ ୧୭୫୫ ସେପ୍ଟେମ୍ବର ୨୦ ତାରିଖ ଶନିବାର ରାତ୍ର ଘ୮.୧୫ ମିନିଟରେ ହୋଇଥିଲା । ଏଣୁ ୪ ବର୍ଷ ଧରି କଳିଙ୍ଗ ପାଇକ ସଂଗଠନ ପକ୍ଷରୁ ସେପ୍ଟେମ୍ବର ୨୦ ତାରିଖ ଦିନ ତାଙ୍କ ଜନ୍ମ ଦିବସ ପାଳିତ ହେଉଛି । ସେ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ବକ୍ସିଙ୍କ ଦାୟାଦ ତଥା ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ଅଭିଭାଷଣ ପ୍ରଦାନ କରି କହିଥିଲେ ଯେ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି ୨୦୧୭ରେ ଦିଲ୍ଲୀ ବିଜ୍ଞାନ ଭବନ ସଭାରେ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଘୋଷଣା କରିଥିଲେ । ସେ ମଧ୍ୟ କହିଥିଲେ ପାଇକ ଆଖଡ଼ାକୁ କ୍ରୀଡ଼ା ବିଭାଗରେ ସାମିଲ କରାଯାଇ ଏହାର ବିକାଶ କରାଯିବା ଉଚିତ । ବିଶିଷ୍ଟ କୃଷକ ନେତା ସୁରଥ ବିଶ୍ୱାଳ ତାଙ୍କ ବକ୍ତବ୍ୟରେ ବକ୍ସିଙ୍କ ଜନ୍ମ ଦିନ ସହ ପାଇକ ବିଦ୍ରୋହରେ ଯୋଗ ଦେଇଥିବା ଦଳବେହେରାମାନଙ୍କ ଜନ୍ମ ଦିବସ ବିଭିନ୍ନ ସ୍ଥାନରେ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ଏଥିସହ ରାଜ୍ୟ ସରକାରଙ୍କ ପାନୀୟ ଜଳ ଯୋଗାଣ ଯୋଜନା ବକ୍ସିଙ୍କ ନାମରେ ବସୁଧା ହୋଇଥିବାରୁ ତାଙ୍କ ଫଟୋ ସେଥିରେ ସ୍ଥାନିତ ହେବା ପାଇଁ ଖୁବ୍ ଶୀଘ୍ର କଳିଙ୍ଗ ପାଇକ ସଂଗଠନର ଏକ ପ୍ରତିନିଧି ଦଳ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିବ ବୋଲି ମତପୋଷଣ କରିଥିଲେ । କଳିଙ୍ଗ ପାଇକ ସଂଗଠନର ମୁଖ୍ୟ ସଞ୍ଚାଳକ ଇଂ ଶିଶିର କୁମାର ନାୟକ ତାଙ୍କ ବକ୍ତବ୍ୟରେ ବରୁଣେଇ ପାଇକ ସ୍ମାରକୀର ବିସ୍ତୃତ କଳେବର ଓ ତନ୍ମଧ୍ୟରେ ବକ୍ସିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ।
ଐତିହାସିକ ପ୍ରଫେସର ଡ଼.ପ୍ରତିଭା ମୟୀ ମିତ୍ର ତାଙ୍କ ବକ୍ତବ୍ୟରେ ବକ୍ସିଙ୍କ ସଂଗ୍ରାମର ବହୁ ଘଟଣା ଅବତାରଣା କରି ପାଇକ ବିଦ୍ରୋହର ସ୍ପଷ୍ଟ ଚିତ୍ର ଦେଇଥିଲେ । ବିଜେବି ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଣ୍ଡା ବକ୍ତବ୍ୟ ରଖି ବକ୍ସିଙ୍କ ପାଇଁ କେବଳ ଖୋର୍ଦ୍ଧା ତଥା ସାରା ଓଡ଼ିଶା ଗର୍ବିତ ବୋଲି କହିଥିଲେ ।
ଉପସ୍ଥିତ ବ୍ୟକ୍ତିମାନଙ୍କ ମଧ୍ୟରୁ କାର୍ଯ୍ୟକାରୀ ସଭାପତି ମୃତ୍ୟୁଞ୍ଜୟ ଛୋଟରାୟ, ଅଜୟ କୁମାର ମାନଧାତା, ପ୍ରଭାତ କୁମାର ପାଣିଗ୍ରାହୀ, ରମେଶ ଚନ୍ଦ୍ର ପାତାଳସିଂହ, ସମରେନ୍ଦ୍ର ବଳିଆରସିଂହ, ଦିବ୍ୟ ଲୋଚନ ଭାରିମଲ୍ଲ, ପ୍ରସନ୍ନ କୁମାର ପାଇକରାୟ, ସୌକତ ରଂଜନ ମାଳବିହାର, ବିନାୟକ ପାଇକରାୟ, ରଘୁନାଥ ଦଳବେହେରା, ସୌମ୍ୟକାନ୍ତ ହରିଚନ୍ଦନ, ମନମୋହନ ବଳିଆରସିଂହ, ଗୋବିନ୍ଦ ଚନ୍ଦ୍ର ମହାରଣା, ବିକ୍ରମ କେଶରୀ ଚମ୍ପତି, ରାଜେନ୍ଦ୍ର କୁମାର ନରେନ୍ଦ୍ର, ଅବୁଦଲ କାଲାମ ଆଜାଦ, ଇତିଶ୍ରୀ ସାହୁ, ପାର୍ଥସାରଥି ମତଗଜସିଂହ, ସଦାଶିବ ମଙ୍ଗରାଜ, ନିରଞ୍ଜନ ସାମନ୍ତସିଂହାର, ରାମନାରାୟଣ ଦାଶ, ଦିଲୀପ ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସଭାପତି ଶ୍ରୀ ପ୍ରଧାନ ବକ୍ସିଙ୍କ ସଂଘର୍ଷପୂର୍ଣ୍ଣ ଜୀବନ ସର୍ବଦା ପ୍ରେରଣାର ଉତ୍ସ ବୋଲି କହିଥିଲେ । ଉପସଭାପତି ପ୍ରଫୁଲ୍ଲ କୁମାର ସାମନ୍ତରାୟ ଧନ୍ୟବାଦ ଦେଇଥିଲେ ।
