ମଣ୍ଡି ଖୋଲିବାରେ ବିଳମ୍ବ:ଚାଷୀଙ୍କ ମଧ୍ୟରେ ଉଦ୍ବେଗ
ନୂଆପଡ଼ା: ( ସୁରେଶ ଦଣ୍ଡସେନା )
ନୂଆପଡ଼ା ଜିଲ୍ଲାରେ ମଣ୍ଡି ଖୋଲିବାରେ ଅପ୍ରତ୍ୟାଶିତ ବିଳମ୍ବ ଚାଷୀମାନଙ୍କୁ ଗଭୀର ନିରାଶା ଓ ଦ୍ୱନ୍ଦ୍ୱ ମଧ୍ୟରେ ଠିଆ କରିଦେଇଛି।ନୂଆପଡ଼ା ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।ଫସଲ ଅମଳ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲେ ମଧ୍ୟ ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି ଏପର୍ଯ୍ୟନ୍ତ ଆଶାନୁରୂପ ଗତି ପାଇନାହିଁ।ଅନେକ ଅଞ୍ଚଳରେ ଚାଷୀମାନେ ଫସଲ ଅମଳ ଓ ମଡ଼େଇ କାମ ଆରମ୍ଭ କରିସାରିଥିଲେ ମଧ୍ୟ, ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଚୂଡ଼ାନ୍ତ କରିବା ପାଇଁ ‘ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି’ର ବୈଠକ ଡକାଯାଇନାହିଁ।ଏହି ବିଳମ୍ବ ଚାଷୀଙ୍କ ମଧ୍ୟରେ ଉଦ୍ବେଗ ସୃଷ୍ଟି କରିଛି।ସେମାନେ ଅପେକ୍ଷା କରିଛନ୍ତି ଯେ କେବେ ମଣ୍ଡି ଖୋଲିବ ଏବଂ ସେମାନେ କେବେ ନିଜ ଅମଳ କରିଥିବା ଧାନ ବିକ୍ରି କରିପାରିବେ। ଧାନ ସଂଗ୍ରହ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଘୋଷଣା ହୋଇନଥିବାରୁ, ଯଦି ଖୁବ୍ ଶୀଘ୍ର ମଣ୍ଡି ନ ଖୋଲେ, ତେବେ ଚାଷୀମାନେ ବାଧ୍ୟ ହୋଇ କମ୍ ଦାମରେ ଧାନ ବିକ୍ରି କରିବାକୁ ପଡ଼ିପାରେ ବୋଲି ଆଶଙ୍କା କରୁଛନ୍ତି।ଚାଷୀମାନେ କୁହନ୍ତି ଯେ ଅମଳ ହୋଇଥିବା ଧାନକୁ ଦୀର୍ଘ ଦିନ ଧରି ସାଇତି ରଖିବା କଷ୍ଟକର ଏବଂ ବ୍ୟୟବହୁଳ ଅଟେ।ଧାନକୁ ମୂଷା ଓ ବର୍ଷାରୁ ରକ୍ଷା କରିବା ପାଇଁ ସେମାନଙ୍କୁ ତାଲପତ୍ର ଘୋଡ଼ାଇବାକୁ ପଡ଼ିଥାଏ ଏବଂ ସୁରକ୍ଷିତ ଭାବେ ରଖିବା ପାଇଁ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ପଡ଼ିଥାଏ।ଅନେକ ଚାଷୀ ଟ୍ରାକ୍ଟର, ସାର ଓ କୀଟନାଶକ ଋଣରେ କିଣିଛନ୍ତି, ଯାହା ସେମାନଙ୍କ ଉପରେ ଆର୍ଥିକ ବୋଝ ବଢ଼ାଇ ଦେଇଛି। ଯଦି ସେମାନେ ସ୍ଥାନୀୟ ବ୍ୟବସାୟୀଙ୍କ ନିକଟରେ କମ୍ ଦାମରେ ଧାନ ବିକ୍ରି କରନ୍ତି, ତେବେ ଏହା ସେମାନଙ୍କ ଆୟ ଉପରେ ଆହୁରି ପ୍ରତିକୂଳ ପ୍ରଭାବ ପକାଇବ। ଚାଷୀମାନେ କହିନ୍ତି ଯେ ଅମଳ ହୋଇଥିବା ଧାନର ଯତ୍ନ ନେବା ପାଇଁ ନିରନ୍ତର ତଦାରଖ ଆବଶ୍ୟକ ହୁଏ, ଅଥଚ ସ୍ଥାନୀୟ ବଜାରରେ ଏହାକୁ ବିକ୍ରି କଲେ ଅତି କମ୍ ମୂଲ୍ୟ ମିଳିଥାଏ।ଏଥିପ୍ରତି ନୂଆପଡ଼ା ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ଉଚିତ୍ ବୋଲି ଜନସାଧାରଣରେ ଚର୍ଚ୍ଚା ଜର୍ ଧରିଛି।
