ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କିତ ସଚେତନତା ସହ ୨୦୦ ମହିଳା ଓ କିଶୋରୀଙ୍କୁ ସ୍ୱଚ୍ଛତା କିଟ୍ ବଣ୍ଟନ
ନୂଆପଡ଼ା : ( ସୁରେଶ ଦଣ୍ଡସେନା )
ଗ୍ରାମାଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟସେବାର ପହଞ୍ଚ ବୃଦ୍ଧି ସହିତ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି ଲକ୍ଷ୍ୟରେ SBI ସଞ୍ଜିବନୀ – କ୍ଲିନିକ୍ ଅନ୍ ହ୍ୱିଲ୍ସ ପକ୍ଷରୁ ନୂଆପଡ଼ା ଜିଲ୍ଲାର ସୋସେଙ୍ଗ ଗ୍ରାମ ପଞ୍ଚାୟତରେ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସଚେତନତା ଶିବିର ଆୟୋଜିତ ହୋଇଥିଲା। ନଭେମ୍ବର ୧୯ ତାରିଖରେ ଆୟୋଜିତ ଏହି ଶିବିରରେ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କିତ ସଚେତନତା ସହ ମହିଳା ଓ କିଶୋରୀଙ୍କୁ ସ୍ୱଚ୍ଛତା କିଟ୍ ବଣ୍ଟନ କରାଯାଇଥିଲା।ଗ୍ରାମୀଣ ଜନସାଧାରଣଙ୍କ ମଧ୍ୟରେ ବ୍ୟକ୍ତିଗତ ପରିଚ୍ଛନ୍ନତା, ପରିମଳ ବ୍ୟବସ୍ଥା ଏବଂ ରୋଗ ପ୍ରତିରୋଧ ସମ୍ପର୍କରେ ସଚେତନତା ବୃଦ୍ଧି ସହ ମୌଳିକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସୋସେଙ୍ଗ ସରପଞ୍ଚ ମମତା ମାଝୀ ଯୋଗଦେଇଥିବା ବେଳେ ପଞ୍ଚାୟତ ପିଇଓ ଜୟପ୍ରକାଶ ମାଝୀ, ସୁନାବେଡ଼ା ପିଏଚ୍ସିର ଡାକ୍ତର ସ୍ୱସ୍ତିକ ପୁରୋହିତ ଏବଂ ସୋସେଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡାଳେଶ୍ୱର ମେହେରଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ପିପୁଲ୍ସ ଟୁ ପିପୁଲ୍ସ ହେଲ୍ଥ ଫାଉଣ୍ଡେସନ୍ (PPHF)ର ନୂଆପଡ଼ା ମୋବାଇଲ୍ ମେଡିକାଲ୍ ୟୁନିଟ୍ (MMU) ଦଳ ଏହି ଶିବିରରେ ସକ୍ରିୟ ଭାବେ ସେବା ପ୍ରଦାନ କରିଥିଲେ। ଦଳରେ ଚିକିତ୍ସା ଅଧିକାରୀ ଡାକ୍ତର ମାନସ ରଞ୍ଜନ ବେହେରା, ଫାର୍ମାସିଷ୍ଟ ପ୍ରେମଚାନ୍ଦ ବୈଠାରୁ, ଷ୍ଟାଫ୍ ନର୍ସ ହଂସିନୀ ସାହୁ ଏବଂ ଲ୍ୟାବ୍ ଟେକ୍ନିସିଆନ୍ ଚଳନ୍ତ ମାଝୀ ସାମିଲ ଥିଲେ।ଶିବିରରେ ଆୟୋଜିତ ସ୍ୱଚ୍ଛ ଭାରତ ଅଭିଯାନ ସଚେତନତା ଅଧିବେଶନରେ ବ୍ୟକ୍ତିଗତ ସ୍ୱଚ୍ଛତା, ନିୟମିତ ପରିମଳ ଅଭ୍ୟାସ, ଆବର୍ଜନାର ସଠିକ୍ ପରିଚାଳନା ଏବଂ ରୋଗ ପ୍ରତିରୋଧ ପାଇଁ ଆଖପାଖ ପରିବେଶକୁ ସଫା ରଖିବାର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା।ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଅଭ୍ୟାସରେ ପରିଣତ କରିବା ସହ ନିଜ ଗ୍ରାମକୁ ପରିଷ୍କାର ରଖିବା ଦିଗରେ ସାମୂହିକ ଦାୟିତ୍ୱ ନିର୍ବାହ କରିବାକୁ ଗ୍ରାମବାସୀଙ୍କୁ ଆହ୍ୱାନ ଦିଆଯାଇଥିଲା।କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ସ୍ୱଚ୍ଛତା କିଟ୍ ବଣ୍ଟନ।ଏହି ଅବସରରେ ପ୍ରାୟ ୨୦୦ ଜଣ ମହିଳା ଓ କିଶୋରୀଙ୍କୁ ଅତିଥିମାନଙ୍କ ଦ୍ୱାରା ସ୍ୱଚ୍ଛତା କିଟ୍ ପ୍ରଦାନ କରାଯାଇଥିଲା।ବିଶେଷକରି ମାସିକ ଋତୁସ୍ରାବ ସମୟରେ ସ୍ୱଚ୍ଛତା, ବ୍ୟକ୍ତିଗତ ପରିଚ୍ଛନ୍ନତା ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ଥିଲା।ଶିବିରରେ ମହିଳା, ବୟସ୍କ ଓ ଶିଶୁଙ୍କ ସମେତ ବହୁ ସଂଖ୍ୟାରେ ଗ୍ରାମବାସୀ ଉତ୍ସାହର ସହ ଯୋଗଦେଇଥିଲେ। ସ୍ଥାନୀୟ ସ୍ୱେଚ୍ଛାସେବୀ,ସ୍ୱାସ୍ଥ୍ୟକର୍ମୀ ଓ MMU ଦଳର ସମନ୍ୱିତ ସହଯୋଗରେ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା।ଶେଷରେ MMUର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମାନସ ରଞ୍ଜନ ବେହେରା ସମସ୍ତ ଅତିଥି, ସହଯୋଗୀ ଓ ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।
