ନୂଆପଡ଼ା : ( ସୁରେଶ ଦଣ୍ଡସେନା )
ନୂଆପଡ଼ା ଜିଲ୍ଲା ଜଳ ଓ ପରିମଳ ମିଶନର ୨୩ତମ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ ସଭାଗୃହଠାରେ ଜିଲ୍ଲାପାଳ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରହଲ୍ଲାଦ ସାହୁ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ଓ ଆଲୋଚ୍ୟ ବିଷୟବସ୍ତୁ ସମ୍ପର୍କରେ ଅବଗତ କରାଇଥିଲେ। ବୈଠକରେ ଜିଲ୍ଲାରେ ଚାଲିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ‘ହର ଘର ଜଳ’ କାର୍ଯ୍ୟକ୍ରମ, ବାକି ରହିଥିବା କାର୍ଯ୍ୟ ଏବଂ ଜଳ ଯୋଗାଣ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ସମ୍ପର୍କରେ ସମୀକ୍ଷା କରାଯାଇଥିଲା।ଜିଲ୍ଲାପାଳ ଚାଲୁଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରି ଅବଶିଷ୍ଟ କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ସ୍ଥାନରେ କାର୍ଯ୍ୟରେ ବିଳମ୍ବ ହେଉଛି, ସେଠାରେ ସ୍ଥାନୀୟ ଜନପ୍ରତିନିଧିଙ୍କ ସହଯୋଗ ନେଇ ଲୋକଙ୍କୁ ସଚେତନ ଓ ସହଯୋଗୀ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାର ସମସ୍ତ ୬୩୬ଟି ଗ୍ରାମରେ ‘ହର ଘର ଜଳ’ ପ୍ରମାଣୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବୈଠକରେ ଅବଗତ କରାଯାଇଥିଲା। ପ୍ରତ୍ୟେକ ପରିବାରକୁ ନିରନ୍ତର ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ମିଶନ ମୋଡ୍ରେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ପରିବାରକୁ ଜଳ ଯୋଗାଣ ପାଇଁ ଆବଶ୍ୟକ ଡିପିଆର୍ ପ୍ରସ୍ତୁତ କରିବାକୁ କନିଷ୍ଠ ଯନ୍ତ୍ରୀମାନଙ୍କୁ କୁହାଯାଇଥିଲା। ଅବୈଧ ଭାବେ ପାଣି ପମ୍ପିଂ କରି ଜଳ ଯୋଗାଣ ବ୍ୟବସ୍ଥାକୁ ବାଧାପ୍ରାପ୍ତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ସହ ଏହାର ନିୟମିତ ଯାଞ୍ଚ କରିବାକୁ ବିଡିଓ ଓ ଜଳ ଯୋଗାଣ ବିଭାଗର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଜଳ ଯୋଗାଣ ବ୍ୟବସ୍ଥାର ନିୟମିତ ଓ ପ୍ରତିଷେଧକ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେଇ ଆବଶ୍ୟକ ଯନ୍ତ୍ରାଂଶ ଓ ଖୁଚୁରା ସାମଗ୍ରୀର ଉପଲବ୍ଧତା ଯାଞ୍ଚ କରିବାକୁ ବିଡିଓ ଓ ଆର୍ ଡବ୍ଲୁ ଏସ୍ ଏସ୍ କର୍ମଚାରୀଙ୍କୁ କୁହାଯାଇଥିଲା। ଜିଲ୍ଲାର ଅବଶିଷ୍ଟ ଜଳବଞ୍ଚିତ ବସତିଗୁଡ଼ିକରେ ଜଳ ଯୋଗାଣ ବ୍ୟବସ୍ଥା,କେତେକ ଅଞ୍ଚଳରେ ଫ୍ଲୋରାଇଡ୍ ଯୁକ୍ତ ଜଳ ସମସ୍ୟାର ସମାଧାନ ଏବଂ ଗ୍ରାମ ଜଳ ଓ ପରିମଳ କମିଟିର ନିୟମିତ ବୈଠକ ଆୟୋଜନ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ପାନୀୟ ଜଳ ଟାଙ୍କି ଗୁଡ଼ିକର ନିୟମିତ ସଫେଇ ଓ ରକ୍ଷଣାବେକ୍ଷଣ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ବିଶ୍ୱ ଶୌଚାଳୟ ଦିବସ-2026 ଜିଲ୍ଲା ପାଳଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହେବା ସହ ଏହି ଅବସରରେ ନଭେମ୍ବର ୧୯ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ପାଳନ କରାଯାଉଥିବା ସ୍ୱଚ୍ଛତା ଅଭିଯାନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଚଳିତ ବର୍ଷର ଅଭିଯାନର ବିଷୟବସ୍ତୁ ‘ନିରାପଦ ଶୌଚାଳୟ, ଗୌରବମୟ ଭବିଷ୍ୟତ’ ରହିଛି। ଶୌଚାଳୟର ନିୟମିତ ବ୍ୟବହାର, ସ୍ୱଚ୍ଛତା ଓ ରକ୍ଷଣାବେକ୍ଷଣ ଏବଂ ସ୍ୱଚ୍ଛ ପରିବେଶ ସୃଷ୍ଟି ଦିଗରେ ଜନସଚେତନତା ବୃଦ୍ଧି କରିବାକୁ ଏହି ଅଭିଯାନ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଇଥିଲା।ବୈଠକରେ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ବିଦ୍ୟୁତ୍ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁଖ୍ୟାତ ଦେବ ପରିଡ଼ା, ଜିଲ୍ଲା ସମ୍ବଳ ସଂଯୋଜକ ଅନିଲ କୁମାର ଲେଙ୍କା, ସମସ୍ତ ବ୍ଲକର ବିଡିଓ, ସମସ୍ତ ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀ, ଏବଂ ବିଭିନ୍ନ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।
