ଖୋର୍ଦ୍ଧାରେ ପାଳିତ ହେଲା ପ୍ରାଣନାଥ ପଟ୍ଟନାୟକଙ୍କ ୧୨୧ତମ ଜୟନ୍ତୀ ;
ସ୍ୱାଧୀନତା ସଂଗ୍ରାମ, ସାମ୍ବାଦିକତା ଓ ଶିକ୍ଷା କ୍ଷେତ୍ରରେ ଅବଦାନକୁ ସ୍ମରଣ; ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଶିଷ୍ଟ ବ୍ୟକ୍ତିବିଶେଷ
ଖୋର୍ଦ୍ଧା: ରିପୋର୍ଟ (ଶୁଭଲକ୍ଷ୍ମୀ ସାମନ୍ତରା)
ଖୋର୍ଦ୍ଧା ମାଟିର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ, ସାହିତ୍ୟିକ ତଥା ପ୍ରାଣନାଥ କଲେଜର ପ୍ରତିଷ୍ଠାତା ସ୍ୱର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୧୨୧ତମ ଜୟନ୍ତୀ ସୋମବାର ଖୋର୍ଦ୍ଧା ସହରରେ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କର ଦେଶପ୍ରେମ, ସାମାଜିକ ପ୍ରତିବଦ୍ଧତା ଓ ଶିକ୍ଷା କ୍ଷେତ୍ରକୁ ଅତୁଳନୀୟ ଅବଦାନକୁ ସ୍ମରଣ କରାଯାଇଥିଲା।
ପ୍ରାଣନାଥ ସ୍ମୃତି ସଂସଦ, ଖୋର୍ଦ୍ଧା ପକ୍ଷରୁ ସହରର କେନ୍ଦ୍ର ସମବାୟ ବ୍ୟାଙ୍କ ଛକସ୍ଥିତ ପ୍ରାଣନାଥ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ସକାଳ ୯ଟାରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ଏଥିରେ ପ୍ରାଣନାଥ କଲେଜର ଅଧ୍ୟକ୍ଷା ପୂର୍ଣ୍ଣିମା ନାଏକ, ସ୍ମୃତି ସଂସଦର ସମ୍ପାଦକ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ଖୋର୍ଦ୍ଧା ପୌରପରିଷଦର ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ସୌର୍ଯ୍ୟରଞ୍ଜନ ମହାନ୍ତି, ବେଗୁନିଆ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ‘ଆମରି ସତ୍ୟ’ର ପ୍ରତିଷ୍ଠାତା ପ୍ରମୋଦ ଚନ୍ଦ୍ର ଦାଶ , ଗୋପାଳକୃଷ୍ଣ ଦାସ, ଉମାଶଙ୍କର ପ୍ରସାଦ, ଦେବପ୍ରସାଦ ମଜୁମଦାର, ମିହିର ନାଏକ, ପ୍ରଫେସର ରାଧାବିନୋଦ ଦାସ କାନୁନଗୋ, ଡ. ପ୍ରଦୀପ ମହାପାତ୍ର, ସୌମେନ୍ଦ୍ର ମିଶ୍ର, ଲକ୍ଷ୍ମୀନାରାୟଣ ସାମନ୍ତସିଂହାର, ବିଶ୍ୱଜିତ ମହାନ୍ତି, ବିଜୟ ସେଠୀ, ସାମ୍ବାଦିକ ଦିଲ୍ଲୀପ ପଟ୍ଟନାୟକ, ପ୍ରଦୀପ ବେହେରା, ପ୍ରଭାତ ପାଣିଗ୍ରାହୀ ଓ ଦୈନିକ ‘ସମାଜ’ର ଜିଲ୍ଲା ପ୍ରତିନିଧି ରାଜେଶ ମହାନ୍ତିଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ସମସ୍ତେ ପ୍ରାଣନାଥ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରାଣନାଥ କଲେଜର ସ୍କାଉଟ ଓ ଏନସିସିର ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଭାବେ ଯୋଗଦେଇ ମହାନ ବ୍ୟକ୍ତିତ୍ୱଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ।
ବକ୍ତାମାନେ କହିଥିଲେ ଯେ, ପ୍ରାଣନାଥ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ମାଟିର ଜଣେ ଅନନ୍ୟ ସନ୍ତାନ। ସ୍ୱାଧୀନତା ସଂଗ୍ରାମୀ ଭାବେ ଦେଶର ସ୍ୱାଧୀନତା ପାଇଁ, ସାମ୍ବାଦିକ ଭାବେ ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ପାଇଁ ଏବଂ ଜଣେ ଶିକ୍ଷାବିତ୍ ଭାବେ ପ୍ରାଣନାଥ କଲେଜ ପ୍ରତିଷ୍ଠା ମାଧ୍ୟମରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ପାଇଁ ସେ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ। କୃଷକ ଆନ୍ଦୋଳନ ଓ ଗଡ଼ଜାତ ଆନ୍ଦୋଳନରେ ମଧ୍ୟ ତାଙ୍କର ସକ୍ରିୟ ଭୂମିକା ରହିଥିଲା। ତାଙ୍କର ଆଦର୍ଶ, ତ୍ୟାଗ ଓ ସଂଘର୍ଷ ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମତପ୍ରକାଶ ପାଇଥିଲା।
