ୱାର୍ଡ଼ ନଂ ୫୯ ନୂଆଗାଁ ମାରୁତି ନଗର ଉନ୍ନୟନ କମିଟିର ଷଷ୍ଠ ବାର୍ଷିକ ସାଧାରଣ ସଭା ଗତ ୨୩ ଅକ୍ଟୋବର ୨୦୨୬ ତାରିଖରେ ମାରୁତି ନଗରଠାରେ କମିଟିର ସଭାପତି ଶ୍ରୀ ଭାସ୍କର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏବଂ ସମ୍ପାଦକ ଶ୍ରୀ ସୋମନାଥ ରଥଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବହୁ ସଂଖ୍ୟକ ସଦସ୍ୟ ଯୋଗଦେଇ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ନିଜ ନିଜର ମତାମତ ରଖିଥିଲେ |ସଭାରେ କମିଟି ପକ୍ଷରୁ ଇତିମଧ୍ୟରେ ସମ୍ପନ୍ନ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ ଆଗାମୀ ଦିନରେ କରାଯିବାକୁ ଥିବା କାର୍ଯ୍ୟଗୁଡ଼ିକ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। କମିଟିର କୋଷାଧ୍ୟକ୍ଷ ସୁଧାକର ମହାପାତ୍ର ବାର୍ଷିକ ଆୟବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ।କମିଟି ପକ୍ଷରୁ ସମସ୍ତ ସମସ୍ୟାକୁ ଗୁରୁତ୍ଵର ସହ ଲିପିବଦ୍ଧ କରାଯାଇଥିଲା।
ଏହି ଅବସରରେ ବିଭିନ୍ନ ସଦସ୍ୟ ମାରୁତି ନଗରର ରାସ୍ତାଘାଟ, ମୌଳିକ ସୁବିଧା ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଉପୁଜୁଥିବା ସମସ୍ୟା ଓ ଅସୁବିଧାକୁ ଉପସ୍ଥାପନ କରିଥିଲେ |କିନ୍ତୁ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚର ସମ୍ପାଦକ ଡ଼ ଚିନ୍ମୟନନ୍ଦ ବଡ଼ଜେନା ସେଗୁଡ଼ିକର ସମାଧାନ ପାଇଁ ପର୍ଯ୍ୟାୟକ୍ରମେ କତୃପକ୍ଷଙ୍କ ଆଲୋଚନା ହୋଇଥିବା ଓ କେଁଉ ପଦକ୍ଷେପ ନିଆ ଯାଇଛି ତାହା ପ୍ରକାଶ କରିଥିଲେ।
ସଭାରେ ସ୍ଥାନୀୟ କର୍ପୋରେଟର ଶ୍ରୀ ବିରଞ୍ଚି ନାରାୟଣ ମହାସୁପକାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାରୁତି ନଗରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯଥାଶୀଘ୍ର ସମ୍ପନ୍ନ କରିବା ପାଇଁ ଆଶ୍ୱାସନା ଦେଇଥିଲେ। ଏଥିସହ ଧଉଳି ଥାନାର ଅଧିକାରୀ ଶ୍ରୀ ସ୍ମୃତି ରଞ୍ଜନ ମହାନ୍ତି ଅତିଥି ଭାବେ ଯୋଗଦେଇ ମାରୁତି ନଗରର ବାସିନ୍ଦାଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରତି ଗୁରୁତ୍ୱ ଦେଇଥିଲେ | ଅଞ୍ଚଳରେ ଆଇନଶୃଙ୍ଖଳା ବଜାୟ ରଖିବା ସହ ପୋଲିସ ପାଟ୍ରୋଲିଂ ବୃଦ୍ଧି କରାଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ।
ସେହିପରି ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚର ସଭାପତି ଶ୍ରୀ ବସନ୍ତ କୁମାର ବରାଳ ଅତିଥି ଭାବେ ଯୋଗଦେଇଥିଲେ। ନୂଆଗାଁ ଅଞ୍ଚଳ ଅଧୀନରେ ଥିବା ମାରୁତି ନଗରର ସାମଗ୍ରିକ ବିକାଶ ପାଇଁ ସେ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ପୂର୍ଣ୍ଣ ଆଶ୍ବାସନା ଦେଇଥିଲେ। ଅଞ୍ଚଳର ବିକାଶ ପାଇଁ କମିଟି ସହ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ମାରୁତି ନଗରର ସାମୂହିକ ବିକାଶ ଓ ସମସ୍ୟାର ସମାଧାନ ପାଇଁ ସମସ୍ତେ ଏକତାବଦ୍ଧ ହୋଇ ପାରସ୍ପରିକ ସହଯୋଗ ଓ ସମନ୍ଵୟର ସହ କାର୍ଯ୍ୟ କରିବାକୁ ସମସ୍ତେ ସଂକଳ୍ପ କରିଥିଲେ।
