ଜଟଣୀରେ କଳା ଓ ପରମ୍ପରାର ମହାମିଳନ, ବିଂଶତମ ଓଡ଼ିଶୀ ‘ନୃତ୍ୟଶ୍ରୀ’ କୁମାରୋତ୍ସବରେ ୪ କଳା ସାଧକଙ୍କୁ ସମ୍ମାନ
ଓଡ଼ିଶୀ ନୃତ୍ୟରୁ ପାଇକ ଯୁଦ୍ଧକଳା ପର୍ଯ୍ୟନ୍ତ ପ୍ରତିଭାକୁ ସ୍ୱୀକୃତି, ଉନ୍ମୋଚିତ ହେଲା ସ୍ମରଣିକା
ଖୋରଧା, ୨୫/୧୦: ମଞ୍ଚରେ କଳାର ମହକ, ପରମ୍ପରାର ପ୍ରତିଫଳନ ଓ ସାଧକଙ୍କ ସାଧନାକୁ ସମ୍ମାନ। ଏଭଳି ଏକ ଭାବଗମ୍ଭୀର ପରିବେଶରେ ଜଟଣୀ ଟାଉନ୍ହଲ୍ (ସ୍ରଷ୍ଟା) ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଂଶତମ ଜଟଣୀର ଓଡ଼ିଶୀ ‘ନୃତ୍ୟଶ୍ରୀ’ର କୁମାରୋତ୍ସବ-୨୦୨୬। ଓଡ଼ିଶାର ସମୃଦ୍ଧ କଳା ଓ ସାଂସ୍କୃତିକ ଐତିହ୍ୟକୁ ଲୋକଲୋଚନକୁ ଆଣିବା ସହ ନିଜ ଜୀବନକୁ କଳା ସାଧନାରେ ଉତ୍ସର୍ଗ କରିଥିବା ପ୍ରତିଭାମାନଙ୍କୁ ସମ୍ମାନ ଜଣାଇବା ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା।
ଉତ୍ସବରେ ଚାରିଜଣ ବିଶିଷ୍ଟ କଳା ସାଧକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମାନିତ ହୋଇଥିବା ପ୍ରତିଭାମାନେ ହେଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ବିଦୁଷୀ ମୀନାକ୍ଷୀ ବେହେରା, ମାହାରୀ ନୃତ୍ୟଶିଳ୍ପୀ ବିଦୁଷୀ ଗାୟତ୍ରୀ ଖୁଣ୍ଟିଆ, ନୃତ୍ୟ ସୃଷ୍ଟିକର୍ତ୍ତା ପାର୍ଥସାରଥୀ ଦାଶ ଏବଂ ପାଇକ ଯୁଦ୍ଧକଳାର ଗୁରୁ କବିରାଜ ପ୍ରଧାନ। ନୃତ୍ୟ, ସଙ୍ଗୀତ ଓ ପାରମ୍ପରିକ ଯୁଦ୍ଧକଳାର ବିଭିନ୍ନ ଧାରାକୁ ଏକ ମଞ୍ଚରେ ସମ୍ମାନିତ କରିବା ଉତ୍ସବର ସାଂସ୍କୃତିକ ଗୁରୁତ୍ୱକୁ ଆହୁରି ବଢ଼ାଇଥିଲା।
ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ କଣ୍ଠଶିଳ୍ପୀ ଡ. ସଙ୍ଗୀତା ଗୋସାଇଁ, ଖୋରଧା ଜିଲା ଖାଦ୍ୟ ଓ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ର ମିଶ୍ର, ଓଡ଼ିଶୀ କଣ୍ଠଶିଳ୍ପୀ ଗୁରୁ ସୁକାନ୍ତ କୁମାର କୁଣ୍ଡୁ, ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ଓଡ଼ିଶୀ ନୃତ୍ୟଶିଳ୍ପୀ ବିଦୁଷୀ ପୁଷ୍ପିତା ମିଶ୍ର ଏବଂ ବିଜେଡିର କାର୍ଯ୍ୟକାରୀ ସଭାପତି ତଥା ମୁଖପାତ୍ର ମନ୍ମଥ ରାଉତରାୟ ଅତିଥି ଭାବେ ଯୋଗଦେଇଥିଲେ।
ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ଅତିଥିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ, ଶ୍ଳୋକ ଆବୃତ୍ତି ଓ ଅତିଥି ପରିଚୟ ପରେ ସଭାକାର୍ଯ୍ୟ ଓ ନୃତ୍ୟ ପରିବେଷଣ ଆରମ୍ଭ କରାଯାଇଥିଲା। ଅନୁଷ୍ଠାନର ସଭାପତି ତ୍ରିଲୋଚନ ମହାପାତ୍ର ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଉପଦେଷ୍ଟା ସୁରେନ୍ଦ୍ର ସାହୁ ଅତିଥିମାନଙ୍କୁ ଉପଢୌକନ ଓ ଚାରା କୁଣ୍ଡ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଜଟଣୀ ଓଡ଼ିଶୀ ନୃତ୍ୟଶ୍ରୀ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦିକା ଶ୍ରୀମତୀ ଚିନ୍ମୟୀ ମହାନ୍ତି ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିବା ସହ ‘ନୃତ୍ୟଶ୍ରୀ’ର ସ୍ମରଣିକା ଉନ୍ମୋଚନ କରିଥିଲେ।
କଳା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ଏକ ଜାତିର ପରିଚୟ ଓ ସାଂସ୍କୃତିକ ଐତିହ୍ୟର ବାହକ। ଏହି ଚିନ୍ତାଧାରାକୁ ଆଧାର କରି ‘ନୃତ୍ୟଶ୍ରୀ’ ପାରମ୍ପରିକ କଳାର ପ୍ରଚାରପ୍ରସାର ଓ କଳାକାରଙ୍କୁ ପ୍ରୋତ୍ସାହନ ଦେବା ଦିଗରେ ନିଜର ପ୍ରୟାସ ଜାରି ରଖିଛି। ଅନୁଷ୍ଠାନର ସମ୍ପାଦିକା ଚିନ୍ମୟୀ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କୁମାରୋତ୍ସବ କଳା ଓ ପରମ୍ପରା ପ୍ରତି ସମ୍ମାନର ଏକ ଉଲ୍ଲେଖନୀୟ ଉଦ୍ୟମ ଭାବେ ପରିଗଣିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସମ୍ଭୁଦତ୍ତ ସ୍ୱାଇଁ ସଂଯୋଜନା କରିଥିଲେ। ନୃତ୍ୟଶ୍ରୀ ଅନୁଷ୍ଠାନର ସମସ୍ତ କର୍ମଚାରୀ ଅଭିଭାବକ ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବେକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରା ରୂପେ ସହଯୋଗ କରିଥିଲେ। ପରିଶେଷରେ ସ୍ୱର୍ଣପ୍ରଭା ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।
