ଭୌତିକ ଚିକିତ୍ସାର ଗୁରୁତ୍ୱ ଓ ପୁନର୍ବାସ ଉପରେ ଗୁରୁତ୍ୱାରୋପ
ଖୋର୍ଦ୍ଧା: ୦୮,୯, ଖୋର୍ଦ୍ଧା ଗୋପବନ୍ଧୁ ଜିଲ୍ଲା ସଦର ମହାକୁମା ଚିକିତ୍ସାଳୟରେ ବିଶ୍ୱ ଫିଜିଓଥେରାପି ଦିବସ ପାଳିତ ହୋଇଯାଇଛି। ଚିକିତ୍ସାଳୟର ଫିଜିଓଥେରାପି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୌତିକ ଚିକିତ୍ସାର ଆବଶ୍ୟକତା, ରୋଗୀଙ୍କ ପୁନର୍ବାସ ଏବଂ ଶୀଘ୍ର ସୁସ୍ଥତାରେ ଏହାର ଭୂମିକା ଉପରେ ଆଲୋଚନା କରାଯାଇଥିଲା।
ଫିଜିଓଥେରାପି ବିଭାଗର ଭାରପ୍ରାପ୍ତ ଡାକ୍ତର ଫଇମୁଲ ଇସଲାମ୍, ଡାକ୍ତର ସୁମିତା ମିଶ୍ର ଓ ଡାକ୍ତର ମୋନାଲିସା ପାତ୍ରଙ୍କ ତତ୍ତ୍ୱାବଧାନରେ ସମାରୋହ ଆୟୋଜିତ ହୋଇଥିଲା। ଚର୍ମ ବିଶେଷଜ୍ଞ ଡାକ୍ତର ହରି ପ୍ରସନ୍ନ ତ୍ରିପାଠୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ଶଲ୍ୟ ବିଶେଷଜ୍ଞ ଡାକ୍ତର ସୁବ୍ରାଂଶୁ ସାହୁ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପ୍ରଶନ୍ନ ଦାସ, ବରିଷ୍ଠ ଚିକିତ୍ସକ ଡାକ୍ତର ବିଶ୍ୱନାଥ ପାଢ଼ୀ, ଡାକ୍ତର ଅଜୟ କୁମାର ବାହାନପତି, ଇଏନ୍ଟି ବିଶେଷଜ୍ଞ ଡାକ୍ତର ସରୋଜ ନାୟକ, ନିଦାନ ବିଶେଷଜ୍ଞ ଡାକ୍ତର ଜୟ ନାରାୟଣ ପାଢ଼ୀ, ଖୋର୍ଦ୍ଧା ଜିଲ୍ଲା ଫାର୍ମାସି ଅଧିକାରୀ ହାଜି ନସୀମୁଦ୍ଦିନ ଖାନ୍, ଆସିଷ୍ଟାଣ୍ଟ ମ୍ୟାଟ୍ରନ୍ ଓ ହସ୍ପିଟାଲ୍ ମ୍ୟାନେଜରଙ୍କ ସମେତ ଚିକିତ୍ସାଳୟର ବହୁ ଡାକ୍ତର, ନର୍ସ ଓ କର୍ମଚାରୀ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ବକ୍ତାମାନେ କହିଥିଲେ ଯେ, ଶାରୀରିକ ସୁସ୍ଥତା ବଜାୟ ରଖିବା ସହ ଆଘାତ, ଅସ୍ଥି ଓ ସ୍ନାୟୁଜନିତ ସମସ୍ୟା କିମ୍ବା ବିଭିନ୍ନ ରୋଗ ପରେ ରୋଗୀଙ୍କୁ ସାଧାରଣ ଜୀବନକୁ ଫେରାଇ ଆଣିବାରେ ଫିଜିଓଥେରାପିର ଭୂମିକା ରହିଛି। ନିୟମିତ ଭୌତିକ ଚିକିତ୍ସା ଦ୍ୱାରା ରୋଗୀଙ୍କ ଶାରୀରିକ ଗତିଶୀଳତା ବୃଦ୍ଧି, ଦୈନନ୍ଦିନ କାର୍ଯ୍ୟକ୍ଷମତାରେ ସୁଧାର ଏବଂ ଜୀବନଶୈଳୀରେ ଉନ୍ନତି ଆଣିବା ସମ୍ଭବ ବୋଲି ସେମାନେ ମତ ଦେଇଥିଲେ।
ଏଥିସହ ଫିଜିଓଥେରାପି ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି ଓ ଆବଶ୍ୟକ ସମୟରେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଶେଷରେ ଏଭଳି ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଫିଜିଓଥେରାପି ବିଭାଗର ସମସ୍ତ କର୍ମକର୍ତ୍ତା ଓ କର୍ମଚାରୀଙ୍କୁ ଅତିଥିମାନେ ଧନ୍ୟବାଦ ଜଣାଇଥିଲେ।
