ସାକ୍ଷରତାର ଆଲୋକରେ ଜୀବନବ୍ୟାପୀ ଶିକ୍ଷାର ସଂକଳ୍ପ
ଡିଆଇଇଟି ଖୋର୍ଦ୍ଧାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ — ‘ଉଲ୍ଲାସ’କୁ ବ୍ୟାପକ କରିବାକୁ ଆହ୍ୱାନ
ଖୋର୍ଦ୍ଧା: ଶିକ୍ଷା କେବଳ ବିଦ୍ୟାଳୟର ଚାରିକାନ୍ଥ ମଧ୍ୟରେ ସୀମିତ ନୁହେଁ; ଏହା ଜୀବନସାରା ଚାଲୁଥିବା ଏକ ଯାତ୍ରା। ଏହି ବାର୍ତ୍ତା ସହ ଡିଆଇଇଟି, ଖୋର୍ଦ୍ଧା ପରିସରରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଜିଲ୍ଲାସ୍ତରରେ ପାଳିତ ହୋଇଛି। ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ମାଧ୍ୟମରେ ନିରକ୍ଷରତାର ଅନ୍ଧକାରରୁ ଜ୍ଞାନର ଆଲୋକ ଆଡ଼କୁ ଆସୁଥିବା ନବସାକ୍ଷରମାନଙ୍କ ସଫଳତା ଏହି ଆୟୋଜନର ମୁଖ୍ୟ ଆକର୍ଷଣ ପାଲଟିଥିଲା।
ଦିବସର ଆରମ୍ଭ ହୋଇଥିଲା ସଚେତନତା ରାଲିରୁ। ଡିଆଇଇଟିର ଗୁରୁଛାତ୍ରଛାତ୍ରୀ ଓ ଶିକ୍ଷକ-ପ୍ରଶିକ୍ଷକମାନେ ହାତରେ ବିଭିନ୍ନ ସ୍ଲୋଗାନ ଓ ପ୍ଲାକାର୍ଡ ଧରି ସ୍ଥାନୀୟ ଅଞ୍ଚଳ ପରିକ୍ରମା କରି ସାକ୍ଷରତାର ଗୁରୁତ୍ୱ ନେଇ ଜନସଚେତନତା ସୃଷ୍ଟି କରିଥିଲେ। ରାଲିକୁ ଡିଆଇଇଟିର ବରିଷ୍ଠ ପ୍ରଶିକ୍ଷିକା ଦୀପ୍ତିପ୍ରଭା ଦାସ ପରିଚାଳନା କରିଥିଲେ।
ଉଦ୍ଘାଟନୀ ସମାରୋହରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଜ୍ଞାପାରମିତା ଜେନା ଅଧ୍ୟକ୍ଷତା କରି ଖୋର୍ଦ୍ଧା ଜିଲ୍ଲାରେ ‘ଉଲ୍ଲାସ’ କାର୍ଯ୍ୟକ୍ରମର ସଫଳତା ଉପରେ ଆଲୋକପାତ କରିଥିଲେ। ନବସାକ୍ଷରମାନଙ୍କୁ ଉଦ୍ବୋଧନ ଦେଇ ସେ କହିଥିଲେ ଯେ, “ସାକ୍ଷରତା ହିଁ ବ୍ୟକ୍ତିକୁ ସଶକ୍ତ କରେ ଏବଂ ଦେଶକୁ ପ୍ରଗତିର ପଥରେ ଆଗେଇ ନିଏ।”
ସାକ୍ଷରତାର ଅର୍ଥ କେବଳ ପଢ଼ିବା ଓ ଲେଖିବା ନୁହେଁ, ବରଂ ଜୀବନକୁ ବୁଝିବା, ନିଜ ନିଷ୍ପତ୍ତି ନିଜେ ନେବା ଏବଂ ନିରନ୍ତର ଶିଖିବା—ଏହି ଚିନ୍ତାଧାରାକୁ ନେଇ ଡିଆଇଇଟି ଛାତ୍ରଛାତ୍ରୀମାନେ ‘ଜୀବନବ୍ୟାପୀ ଶିକ୍ଷା’ ଉପରେ ଏକ ଆଲୋଚନାଚକ୍ର ଆୟୋଜନ କରିଥିଲେ।
ଏହା ସହ “ଶିକ୍ଷାର କୌଣସି ବୟସ ନାହିଁ—‘ଉଲ୍ଲାସ’ ମାଧ୍ୟମରେ ଜୀବନବ୍ୟାପୀ ଶିକ୍ଷା” ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀମାନେ ଏକ ନାଟକ ପରିବେଷଣ କରିଥିଲେ। ନିରକ୍ଷରତା କିପରି ଜୀବନର ସୁଯୋଗକୁ ସୀମିତ କରେ ଏବଂ ସାକ୍ଷରତା କିପରି ଆତ୍ମବିଶ୍ୱାସ ଓ ସମ୍ଭାବନାର ନୂଆ ଦ୍ୱାର ଖୋଲିଦିଏ, ନାଟକ ମାଧ୍ୟମରେ ତାହାକୁ ଜୀବନ୍ତ ଭାବେ ଉପସ୍ଥାପନ କରାଯାଇଥିଲା।
ଉଦ୍ଯାପନୀ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟ ଯୋଗଦେଇ ‘ଉଲ୍ଲାସ’ର ସଫଳତା ପଛରେ ରହିଥିବା ସାଧନ କେନ୍ଦ୍ର ସଂଯୋଜକ, ଶିକ୍ଷକ ଓ ସ୍ୱେଚ୍ଛାସେବୀମାନଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ଆଗାମୀ ଦିନରେ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରି ସମାଜର ଅଧିକ ଲୋକଙ୍କୁ ଜୀବନବ୍ୟାପୀ ଶିକ୍ଷାର ସୁଯୋଗ ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ନବସାକ୍ଷରମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇ ସେମାନଙ୍କ ସଫଳତାକୁ ସମ୍ମାନିତ କରାଯାଇଥିଲା। ଡିଆଇଇଟିର ବରିଷ୍ଠ ଶିକ୍ଷକ-ପ୍ରଶିକ୍ଷିକା ଶ୍ରୀମତୀ ମୋନାଲିସା ପଣ୍ଡା ଓ ଶ୍ରୀମତୀ ରଶ୍ମିରେଖା ସ୍ୱାଇଁଙ୍କ ସମେତ ଜିଲ୍ଲା ବିଜ୍ଞାନ ପରିଦର୍ଶକ ସରୋଜ ସିଂହ ଓ ଶୈକ୍ଷିକ ସଂଯୋଜକ ସନ୍ତୋଷ ପଣ୍ଡା ଉପସ୍ଥିତ ଥିଲେ। ଜରିପୁଟ ସାଧନ କେନ୍ଦ୍ର ସଂଯୋଜିକା ଶ୍ରୀମତୀ ଗୀତାଞ୍ଜଳି ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
