ବିନା ଦରମାରେ ତିନି ମାସ ଧରି କାର୍ଯ୍ୟରତ LTR ଶିକ୍ଷକ: ଶୀଘ୍ର ଦରମା ପ୍ରଦାନ ପାଇଁ ଦାବି
କଟକ: 22/07/2026 ଜିଲ୍ଲାରେ ନିଯୁକ୍ତି ପାଇଥିବା ୨୫୦ ରୁ ଉର୍ଦ୍ଧ୍ବ LTR ଓଡ଼ିଆ, କଳା, ସଂସ୍କୃତ ଓ ହିନ୍ଦୀ ଶିକ୍ଷକମାନେ ତିନି ମାସ ଧରି ନିଷ୍ଠାର ସହିତ ବିଦ୍ୟାଳୟରେ ପାଠପଢ଼ା କରାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦରମା ପାଇନଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ଶିକ୍ଷକମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି।
ଶିକ୍ଷକମାନଙ୍କ କହିବା ଅନୁଯାୟୀ, ଦରମା ନ ମିଳିବାରୁ ଘର ଭଡ଼ା, ଯାତାୟାତ ଖର୍ଚ୍ଚ, ଗାଡ଼ିରେ ଇନ୍ଧନ ପକାଇବା ସହ ଦୈନନ୍ଦିନ ପରିବାରିକ ଆବଶ୍ୟକତା ପୂରଣ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଅନେକ ଶିକ୍ଷକ ଧାର ଓ ଉଧାର କରି ଜୀବନଯାପନ କରୁଥିବା କହିଛନ୍ତି।
ଦରମା ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଶିକ୍ଷକମାନେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ (DEO) କାର୍ଯ୍ୟାଳୟରେ ବାରମ୍ବାର ଅନୁରୋଧ କରିଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ସନ୍ତୋଷଜନକ ଅଗ୍ରଗତି ହୋଇନଥିବା ସେମାନଙ୍କ ଅଭିଯୋଗ।
ଶିକ୍ଷକମାନେ ସରକାର ଓ ସମ୍ପୃକ୍ତ ବିଭାଗଙ୍କୁ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ବିଚାର କରି ଶୀଘ୍ର ଦରମା ପ୍ରଦାନ ସହ ପ୍ରଶାସନିକ ପ୍ରକ୍ରିୟାରେ ଥିବା ବିଳମ୍ବର ସମାଧାନ କରିବାକୁ ଦାବି କରିଛନ୍ତି।
