ଚାଉଳ ପାଇଁ ନୁହେଁ, ଫିଙ୍ଗର ପ୍ରିଣ୍ଟ ପାଇଁ ୩୦ କି.ମି. ଯାତ୍ରା
ନୂଆପଡ଼ା : ( ସୁରେଶ ଦଣ୍ଡସେନା )
ଯେଉଁଠି ଲୋକଙ୍କ ପାଇଁ ଦୁଇ ଓଳି ଖାଇବା ଯୋଗାଡ଼ କରିବା ଏକ ସଂଘର୍ଷ,ସେଠି ସରକାରୀ ଚାଉଳ ପାଇବାକୁ ବି ଦେବାକୁ ପଡ଼ୁଛି କଠିନ ପରୀକ୍ଷା। କେହି ୧୫ କିଲୋମିଟର ତ ଆଉ କେହି ୩୦ କିଲୋମିଟର ଦୂରରୁ ଧାଇଁ ଆସୁଛନ୍ତି ପଞ୍ଚାୟତ କାର୍ଯ୍ୟାଳୟକୁ।ଚାଉଳ ନେବାକୁ ନୁହେଁ, କେବଳ ଫିଙ୍ଗର ପ୍ରିଣ୍ଟ ଦେବାକୁ।ଏମିତି ଏକ ଦୃଶ୍ୟ ଦେଖିବାକୁ ମିଲିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଭଇଁସାଦାନୀ ପଞ୍ଚାୟତରେ।ବିକାଶର ଚକାଚକ୍ ନାରା ଭିତରେ ଲୁଚି ରହିଛି ଅବ୍ୟବସ୍ଥାର ଏକ ଅସଲ ଚିତ୍ର। ଯେଉଁଠି ଆଜି ବି ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି ଲୋକେ।ଜଙ୍ଗଲ ଓ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ସରକାରୀ ଯୋଜନାର ଲାଭ ନେବା ମଧ୍ୟ ସହଜ ନୁହେଁ।ଏ ହେଉଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଭଇଁସାଦାନୀ ଗ୍ରାମ ପଞ୍ଚାୟତ।ପାଟଦରା ଅଞ୍ଚଳର ଅନେକ ଛୋଟ ବଡ଼ ପଡ଼ା ଗାଁ ଆଜି ବି ରାସ୍ତା ଓ ମୋବାଇଲ ନେଟୱାର୍କ ସମସ୍ୟାରେ ଜର୍ଜରିତ।ଭଇଁସାଦାନୀରୁ ପାଟଦରା, କୋଇମୁଣ୍ଡା ଓ ଧୋପଘାଟ ଭଳି ଗାଁର ଦୂରତା ୧୫ରୁ ୨୦ କିଲୋମିଟର।ଆଉ କିଛି ଗାଁ ରହିଛି ୫ରୁ ୧୫ କିଲୋମିଟର ଦୂରରେ।ହେଲେ ଏଠାକାର ଲୋକଙ୍କ ପାଇଁ ସବୁଠାରୁ ବଡ଼ ଯନ୍ତ୍ରଣା ପାଲଟିଛି ସରକାରୀ ପିଡିଏସ୍ ଚାଉଳ।ଚାଉଳ ପାଇବା ପୂର୍ବରୁ ପ୍ରଥମେ ପଞ୍ଚାୟତ କାର୍ଯ୍ୟାଳୟରେ ଦେବାକୁ ପଡ଼ୁଛି ଫିଙ୍ଗର ପ୍ରିଣ୍ଟ।ଏଥିପାଇଁ କେହି ୧୫ କିଲୋମିଟର ତ ଆଉ କେହି ୨୦ରୁ ୩୦ କିଲୋମିଟର ଦୂର ଅତିକ୍ରମ କରି ଆସୁଛନ୍ତି। ସକାଳୁ ଘରୁ ବାହାରିଲେ ସଞ୍ଜରେ ଫେରୁଛନ୍ତି।ତା’ପରେ ଯଦି ନେଟୱାର୍କ ସମସ୍ୟା ଦେଖାଦିଏ,ତେବେ ପୁଣି ଥରେ ଆସିବାକୁ ପଡ଼ୁଛି।ଅର୍ଥାତ୍ ଗୋଟିଏ ଫିଙ୍ଗର ପ୍ରିଣ୍ଟ ପାଇଁ ଖର୍ଚ୍ଚ ହେଉଛି ପୁରା ଦିନ।ପଞ୍ଚାୟତରେ ପ୍ରାୟ ୮୦୦ ରାସନ୍ କାର୍ଡଧାରୀ ରହିଛନ୍ତି।ପ୍ରତିଦିନ ୪୦ ରୁ ୫୦ ଜଣଙ୍କ ଫିଙ୍ଗର ପ୍ରିଣ୍ଟ ନିଆଯାଉଛି। ସମସ୍ତଙ୍କ ପ୍ରକ୍ରିୟା ଶେଷ ହେବା ପରେ ଟ୍ରାକ୍ଟର ଯୋଗେ କୋଇମୁଣ୍ଡିକୁ ଚାଉଳ ପଠାଯାଉଛି। ସେଠାରେ ଚାଉଳ ବଣ୍ଟନ ହେଉଛି।ଅନ୍ୟ ଗାଁର ଲୋକଙ୍କୁ ପୁଣି ନିଜ ଗାଁକୁ ଚାଉଳ ନେବା ପାଇଁ ଟ୍ରାକ୍ଟର ଭଡ଼ା କରିବାକୁ ପଡ଼ୁଛି।ଫଳରେ ମାଗଣା ଚାଉଳ ପାଇବା ପାଇଁ ବି ଗରିବ ହିତାଧିକାରୀଙ୍କୁ ଗଣିବାକୁ ପଡ଼ୁଛି ଅତିରିକ୍ତ ଟଙ୍କା ସ୍ଥାନୀୟ ଲୋକଙ୍କ ଦାବି, ଦୁର୍ଗମ ଗାଁ ଗୁଡ଼ିକୁ ଭଲ ରାସ୍ତା ନିର୍ମାଣ ସହ ମୋବାଇଲ ନେଟୱାର୍କ ବ୍ୟବସ୍ଥା ସୁଧାର କରାଯାଉ।ଏହାସହ ଗାଁ ନିକଟରେ ଫିଙ୍ଗର ପ୍ରିଣ୍ଟ ଓ ରାସନ୍ ବଣ୍ଟନର ବ୍ୟବସ୍ଥା କରାଗଲେ ଲୋକଙ୍କ ଦୁର୍ଦ୍ଦଶା ଦୂର ହୋଇପାରିବ।ସରକାର ଗରିବଙ୍କ ପାଇଁ ମାଗଣା ଚାଉଳ ଯୋଗାଇ ଦେଉଛନ୍ତି। କିନ୍ତୁ ସେହି ଚାଉଳ ପାଇବାକୁ ଯଦି ହିତାଧିକାରୀଙ୍କୁ ମାଇଲ୍ ମାଇଲ୍ ବାଟ ଚାଲିବାକୁ ପଡ଼େ,ତେବେ ଯୋଜନାର ସଫଳତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।ଡିଜିଟାଲ ବ୍ୟବସ୍ଥାର ଆଳରେ ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଆଉ କେତେ ଦିନ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବ? ଏବେ ଦେଖିବାକୁ ରହିଲା ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ଏବଂ କେବେ ଦୂର ହେବ ଏହି ସମସ୍ୟା।
