ଖୋରଧା: ଖୋରଧା ଜିଲା ହାବେଳୀ ପଡିଆ ଜନସମାଗମରେ ଉତ୍ସବମୁଖର ହୋଇଥିଲା। ଏଠାରେ ଅନୁଷ୍ଠିତ ହୋଇଛି ବିକଶିତ ଭାରତ ସଂକଳ୍ପ ସଭା। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ଓ ଜନଭାଗୀଦାରୀର ବାର୍ତ୍ତା ନେଇ ଆୟୋଜିତ ଏହି ସଭାରେ ବିଜେପି ନେତା, କର୍ମୀ, ମହିଳା ଓ ଛାତ୍ରଛାତ୍ରୀଙ୍କ ବ୍ୟାପକ ଉପସ୍ଥିତି ଦେଖିବାକୁ ମିଳିଥିଲା।
ସକାଳ ପ୍ରାୟ ୯ଟା ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହାବେଳୀ ପଡିଆରେ ପହଞ୍ଚି ସଭାରେ ଯୋଗଦେଇଥିଲେ। ଜାତୀୟ ସଙ୍ଗୀତ ପରିବେଷଣ ପରେ ସେ ବିକଶିତ ଭାରତ ଗଠନର ସଂକଳ୍ପ ଓ ଦେଶର ବିକାଶରେ ଜନସାଧାରଣଙ୍କ ଭୂମିକା ସମ୍ପର୍କରେ ଅଭିଭାଷଣ ରଖିଥିଲେ। ଦେଶର ପ୍ରଗତି ପାଇଁ ସରକାରୀ ପ୍ରୟାସ ସହ ଜନଭାଗୀଦାରୀର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ପରେ ପ୍ରାୟ ୧୧ଟା ସମୟରେ ପ୍ରଧାନମନ୍ତ୍ରୀଙ୍କ ଅନଲାଇନ୍ ଅଭିଭାଷଣର ସିଧା ପ୍ରସାରଣ କରାଯାଇଥିଲା। ହାବେଳୀ ପଡିଆରେ ଉପସ୍ଥିତ ଲୋକେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ଦେଖିବା ସହ ଶୁଣିଥିଲେ। ବିକଶିତ ଭାରତ ଗଠନରେ ନାଗରିକଙ୍କ ଦାୟିତ୍ୱ, ଯୁବପିଢ଼ିର ଭୂମିକା, ନବସୃଜନ, ପ୍ରଯୁକ୍ତି ଓ ଜନଭାଗୀଦାରୀ ଭଳି ବିଷୟକୁ ନେଇ ଏହି ବାର୍ତ୍ତା ପ୍ରସାରିତ ହୋଇଥିଲା।
ସଭାରେ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ସୁଧୀପ୍ତ ରାୟ, ଖୋରଧା ବିଧାୟକ ପ୍ରଶାନ୍ତ ଜଗଦେବ, ବିଜେପି ଜିଲା ସଭାପତି ବିଶ୍ୱରଂଜନ ବଡ଼ଜେନା, ଜିଲା ବିଜେପି ପ୍ରଭାରୀ ପ୍ରଦୀପ୍ତ ମୋହନ ଦାସ, ବିଜେପି ରାଜ୍ୟ କମିଟି ସଦସ୍ୟ ନିକୁଞ୍ଜ ବିଶ୍ୱ ପଟ୍ଟନାୟକ ଏବଂ ବିଜେପି ନେତା ପ୍ରକାଶ ରଣା ବିଜୁଡ଼ିଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ମାତୃଶକ୍ତିର ହଜାର ହଜାର ମହିଳାଙ୍କ ସମେତ ବହୁ ସଂଖ୍ୟକ ବିଜେପି କର୍ମୀ ଯୋଗଦେଇଥିଲେ। ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମଧ୍ୟ ସଭାରେ ସାମିଲ ହୋଇ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଏହାକୁ ନେଇ ହାବେଳୀ ପଡିଆରେ ବ୍ୟାପକ ଜନସମାଗମ ଦେଖାଯାଇଥିଲା।
ଏହି ଅବସରରେ ‘ଜନସେବାରୁ ରାଷ୍ଟ୍ରସେବା’ ଓ ‘ଏକ ବିକଶିତ ଭାରତ’ ଲକ୍ଷ୍ୟକୁ ଆଗରେ ରଖି ସମସ୍ତେ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିଲେ। ନାଗରିକ ଭାବେ ନିଜ ଶକ୍ତି, ପ୍ରତିଭା ଓ ସଂକଳ୍ପକୁ ରାଷ୍ଟ୍ର ନିର୍ମାଣରେ ଉତ୍ସର୍ଗ କରିବା, ଜ୍ଞାନ ଓ ପ୍ରଯୁକ୍ତିର ସଦୁପଯୋଗ କରିବା ସହ ସଚ୍ଚୋଟତା, ଦାୟିତ୍ୱ ଓ ସେବା ମନୋଭାବରେ ସମାଜ ଓ ଦେଶର ବିକାଶରେ ଯୋଗଦାନ କରିବା ନେଇ ପ୍ରତିଜ୍ଞା କରାଯାଇଥିଲା।
ଯୁବପିଢ଼ିକୁ ଦେଶର ବିକାଶର ପ୍ରମୁଖ ଶକ୍ତି ଭାବେ ଗଢ଼ିତୋଳିବା ସହ ନବସୃଜନ, ଉଦ୍ୟୋଗ, କ୍ରୀଡ଼ା, ବିଜ୍ଞାନ ଓ ସ୍ଥାୟୀ ବିକାଶ କ୍ଷେତ୍ରରେ ଭାରତକୁ ବିଶ୍ୱସ୍ତରରେ ଆଗେଇ ନେବା ପାଇଁ ମଧ୍ୟ ସଂକଳ୍ପ ନିଆଯାଇଥିଲା।
ଶେଷରେ “ଆମେ ସଂକଳ୍ପରୁ ସିଦ୍ଧି ପର୍ଯ୍ୟନ୍ତ ଯାତ୍ରାକୁ ସଫଳ କରିବୁ, ଏକ ଶକ୍ତିଶାଳୀ, ସମୃଦ୍ଧ ଓ ବିକଶିତ ଭାରତ ନିର୍ମାଣ କରିବୁ” ବୋଲି ସମସ୍ତେ ସଂକଳ୍ପ ନେଇଥିଲେ। ପରେ ‘ଜୟ ହିନ୍ଦ’ ଧ୍ୱନିରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା।
