ମେଡିକାଲ ସମ୍ମୁଖରେ ଟ୍ରଲରର ତାଣ୍ଡବ, କାର, ବାଇକ୍ ଓ ସ୍କୁଟିକୁ ଧକ୍କା ଦେଇ ୩ଟି ଦୋକାନ ଭିତରକୁ ମାଡ଼ିଗଲା
ଖୋର୍ଦ୍ଧା:, ୨୪,୯, ଖୋର୍ଦ୍ଧା ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଗୁରୁବାର ସକାଳେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏକ ମାଲବୋଝେଇ ଟ୍ରଲର ଭାରସାମ୍ୟ ହରାଇ ପ୍ରଥମେ ଏକ କାର ଓ ବାଇକ୍କୁ ଧକ୍କା ଦେବା ପରେ ରାସ୍ତାକଡ଼ରେ ଥିବା ଦୋକାନଗୁଡ଼ିକ ଭିତରକୁ ମାଡ଼ିଯାଇଥିଲା। ଫଳରେ ୩ଟି ଦୋକାନ ସମେତ ଏକାଧିକ ଯାନବାହନ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। କାହାର ଜୀବନପ୍ରତି ଆଘାତ ଦେଖାଯାଇନାହିଁ।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ପଟୁ ଆସୁଥିବା ମାଲବୋଝେଇ ଟ୍ରଲରଟି ମେଡିକାଲ ସମ୍ମୁଖ ରାସ୍ତାରେ ପହଞ୍ଚିବା ସମୟରେ ହଠାତ୍ ଭାରସାମ୍ୟ ହରାଇଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା OD-02-CQ-5639 ନମ୍ବର କାର୍କୁ ଟ୍ରଲରଟି ଧକ୍କା ଦେଇଥିଲା। ଏହାପରେ ଟ୍ରଲରଟି ନିୟନ୍ତ୍ରଣ ହରାଇ ରାସ୍ତାର ଡାହାଣ ପାର୍ଶ୍ୱକୁ ମାଡ଼ିଯାଇଥିଲା।
ଟ୍ରଲରର ଧକ୍କାରେ OD-04-P-9166 ନମ୍ବର ସ୍କୁଟି ଓ ଏକ ହିରୋ ସ୍ପ୍ଲେଣ୍ଡର ବାଇକ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ପରେ ଭାରୀ ଟ୍ରଲରଟି ରାସ୍ତାକଡ଼ରେ ଥିବା ଦୋକାନ ଭିତରକୁ ମାଡ଼ିଯିବାରୁ ୩ଟି ଦୋକାନରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଦୋକାନ ସମ୍ମୁଖରେ ଥିବା ଯାନବାହନଗୁଡ଼ିକ ମଧ୍ୟ ଟ୍ରଲର ଧକ୍କାରେ ଚାପି ହୋଇ କ୍ଷତିଗ୍ରସ୍ତ ହୋଇଥିବାବେଳେ
ଦୁର୍ଘଟଣା ପରେ ଘଟଣାସ୍ଥଳରେ ହଠାତ୍ ଭିଡ଼ ଜମିବା ସହ ମେଡିକାଲ ସମ୍ମୁଖ ରାସ୍ତାରେ ଯାନବାହନ ଚଳାଚଳରେ ବ୍ୟାଘାତ ଘଟିଥିଲା। ଖବର ପାଇ ଟାଉନ ଥାନା ପୋଲିସ ଓ ଅଗ୍ନିସେବା ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆୟତ କରିଥିଲେ। ଅଗ୍ନିଶେବା ବାହିନୀ ଆବଶ୍ୟକ ଉଦ୍ଧାର କାର୍ଯ୍ୟ କରିଥିବା ବେଳେ ପୋଲିସ ଟ୍ରାଫିକ୍ ନିୟନ୍ତ୍ରଣ କରିଥିଲା।
ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରଲରକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଛି। ଘଟଣାର ପ୍ରକୃତ କାରଣ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି। ତେବେ ଜନଗହଳିପୂର୍ଣ୍ଣ ମେଡିକାଲ ସମ୍ମୁଖରେ ଘଟିଥିବା ଏହି ଦୁର୍ଘଟଣା ଅଳ୍ପକେ ବଡ଼ ଅଘଟଣରୁ ରକ୍ଷା ପାଇଥିବା ଜଣାପଡ଼ିଛି।
