ବୋଡ଼େନ ବ୍ଲକ ନାଗପଡ଼ା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ
ନୂଆପଡ଼ା ରିପୋର୍ଟ: (ସୁରେଶ ଦଣ୍ଡସେନା)
ବୋଡ଼େନ ବ୍ଲକ ଅନ୍ତର୍ଗତ ନାଗପଡ଼ା ଗ୍ରାମ ପଞ୍ଚାୟତରେ ଗ୍ରାମ ପଞ୍ଚାୟତସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ରୋଜଗାର ଓ ଜୀବିକା ସୁଯୋଗର ସଦୁପଯୋଗ କରି ପ୍ରବାସକୁ ଏଡ଼ାଇବା ପାଇଁ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା।ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ବନଖଣ୍ଡ ଅଧିକାରୀ, ପ୍ରାନ୍ତୀୟ ଆଜିଜ ଖାଁ, ବୋଡ଼େନ ବିଡିଓ ଚିନ୍ମୟ ସାଗର, ତହସିଲଦାର ସରିତା ଗୁପ୍ତା, ସ୍ଥାନୀୟ ସରପଞ୍ଚ ଗମ୍ଭୀର ତାଣ୍ଡିଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।ଶିବିରରେ ବିଭିନ୍ନ ବିଭାଗର ଅଧିକାରୀମାନେ ଶ୍ରମିକ, କୃଷକ, ମହିଳା ଓ ସାଧାରଣ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ, କର୍ମନିଯୁକ୍ତିମୂଳକ ଓ ଜୀବିକାଭିତ୍ତିକ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।ଜିଲ୍ଲାପାଳ ଦାଶ ନିଜ ଉଦ୍ବୋଧନରେ ଭିବି-ଜି ରାମ-ଜି (VB-G RAM G) ସମେତ ବିଭିନ୍ନ ସରକାରୀ ଯୋଜନାରେ କାର୍ଯ୍ୟ କରି ନିଜ ଗାଁରେ ରହି ରୋଜଗାର ସୁଯୋଗର ଲାଭ ନେବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ।ଏଥିସହ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ର ବ୍ୟବହାର ବନ୍ଦ କରିବା, ଶିଶୁ ଶ୍ରମକୁ ନିରୁତ୍ସାହିତ କରିବା ଏବଂ ପିଲାମାନଙ୍କୁ ନିୟମିତ ବିଦ୍ୟାଳୟକୁ ପଠାଇବା ପାଇଁ ଜିଲ୍ଲାପାଳ ଅଭିଭାବକମାନଙ୍କୁ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମର ଆରମ୍ଭରେ ‘ଝିଅ ପାଇଁ ଗଛଟିଏ’ ଓ ‘ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ନବଜାତ କନ୍ୟାଶିଶୁ ରବୀନା ମାଝୀଙ୍କୁ କୋଳରେ ଧରି ତାଙ୍କ ସୁସ୍ଥ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ଶିଶୁର ଅଭିଭାବକଙ୍କୁ ବୃକ୍ଷଚାରା ଓ ଉପହାର ପ୍ରଦାନ କରାଯାଇଥିଲା। ‘ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ’ ଅବସରରେ ଗ୍ରାମର ୩ ଜଣ ଗର୍ଭବତୀ ମହିଳାଙ୍କୁ ଫଳ, ପନିପରିବା, ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଓ ଉପହାର ପ୍ରଦାନ କରାଯାଇଥିଲା। ସ୍ଥାନୀୟ ଛାତ୍ରୀମାନେ ଗୀତ ଓ ନୃତ୍ୟ ମାଧ୍ୟମରେ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ପ୍ରଦାନ କରିଥିଲେ।ଏହି ଅବସରରେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯାଇଥିଲା। ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨ ଜଣଙ୍କୁ ‘ସ୍ୱଚ୍ଛତା ଦୂତ ସମ୍ମାନ’ ପ୍ରଦାନ କରାଯାଇଥିଲା।ଜିଲ୍ଲାପାଳ ନାଗପଡ଼ା ଗ୍ରାମ ପଂଚାୟତର ମକରବିଲି ଗ୍ରାମର ଦେବରାଜ ମାଝୀଙ୍କ ଘରକୁ ଯାଇ ସେମାନଙ୍କ ସହ ଆଲୋଚନା କରିଥିଲେ। ଉଭୟେ ରୋଜଗାର ପାଇଁ ହାଇଦ୍ରାବାଦ ଯାଇ ଇଟା ତିଆରି କାରଖାନାରେ କାମ କରୁଥିଲେl ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଏବେ ସେମାନେ ପ୍ରବାସ ନକରି ନିଜ ଗାଁରେ ରହି କାମ କରୁଛନ୍ତି।
ସେମାନେ ମନରେଗା/ଭିବି-ଜି ରାମ-ଜି (VB-G RAM G) ଅଧୀନରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇ ଦୈନିକ ମଜୁରି ମାଧ୍ୟମରେ ରୋଜଗାର ପାଉଛନ୍ତି। ଜିଲ୍ଲାପାଳ ଶ୍ରୀ ଦାଶ ସେମାନଙ୍କ ସହ ଆଲୋଚନା କରିବା ସହ ସମସ୍ତ ଯୋଗ୍ୟ ସରକାରୀ ସୁବିଧା ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।କାର୍ଯ୍ୟକ୍ରମର ଶେଷରେ ‘ପକ୍ଷୀ ପାଇଁ ଦିନଟିଏ’ ଅଭିଯାନ ଅନ୍ତର୍ଗତ ପକ୍ଷୀମାନଙ୍କ ପାଇଁ ବାସସ୍ଥାନ, ଖାଦ୍ୟ ଓ ପାଣିର ବ୍ୟବସ୍ଥା କରାଯାଇଥିଲା।
