⦁ ନୂଆଦିଲ୍ଲୀ ସମେତ ରାଜ୍ୟ, ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ଓଡ଼ିଶା ଦିବସ ପାଳନ ହେବା ନେଇ ଆଲୋଚନା
⦁ ଜୟଦେବ ଭବନରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ଉତ୍ସବ
⦁ ଉତ୍ସବକୁ ଆକର୍ଷଣୀୟ ଓ ଆନନ୍ଦ ଉଲ୍ଲାସର ସହ ପାଳନ କରାଯିବା ନେଇ ପ୍ରସ୍ତୁତି ପାଇଁ ପରାମର୍ଶ
⦁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବ ଓଡ଼ିଆ ପକ୍ଷ
ଓଡ଼ିଶା ଦିବସ ୨୦୨୬ ପାଳନ ଉପଲକ୍ଷେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନୂଆଦିଲ୍ଲୀ ସମେତ କୋଲକାତା, ମୁମ୍ବାଇ, ଚେନ୍ନାଇ , ରାଜ୍ୟ ମୁଖ୍ୟାଳୟ ଭୁବନେଶ୍ୱର, ସମସ୍ତ ରାଜସ୍ୱ ଆୟୁକ୍ତ, ଜିଲ୍ଲା ଓ ଉପଖଣ୍ଡସ୍ତରରେ ଓଡ଼ିଶା ଦିବସକୁ ଆନନ୍ଦ, ଉଲ୍ଲାସ ଓ ଆକର୍ଷଣୀୟ ଭାବରେ ମହା ସମାରୋହରେ ପାଳନ କରିବାକୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ବୈଠକରେ ରାଜ୍ୟ ଗୃହ, ଶିଳ୍ପ, ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଯୋଗ ଦେଇ ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରିଥିଲେ । ଓଡ଼ିଶା ଦିବସ ଏପ୍ରିଲ ୧ ତାରିଖ ସଂଧ୍ୟାରେ ରାଜ୍ୟସ୍ତରୀୟ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହେବ । ଜୟଦେବ ଭବନଠାରେ ଏହି ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସଂପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହେବ । ରାଜ୍ୟସ୍ତରୀୟ ଉତ୍ସବରେ ଆୟୋଜିତ ସାଧାରଣ ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ଅତିଥିମାନଙ୍କୁ ଯୋଗଦେବା ପାଇଁ ଅନୁରୋଧ କରାଯିବ । ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ଦିବ୍ୟାଙ୍ଗ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ଏବଂ ଏହି ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଉତ୍କଳ ପ୍ରସଙ୍ଗ ଓଡ଼ିଶା ରିଭ୍ୟୁ ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ ସହ ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ ଯୋଜନା ଓ କାର୍ଯ୍ୟକ୍ରମକୁ ନେଇ ପ୍ରକାଶ ପାଉଥିବା ପତ୍ରିକା ‘ପ୍ରଗତି ପ୍ରବାହ’ ର ୩ୟ ସଂସ୍କରଣ ଉନ୍ମୋଚନ ହେବ । ଜୟଦେବ ଭବନରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦିବସ ପାଳନ ଉପଲକ୍ଷେ ବିଭିନ୍ନ ସ୍ଥାନରେ ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଦେଶାତ୍ମବୋଧକ ସଂଗୀତ ବାଦନ, ବିଭିନ୍ନ ସରକାରୀ ଓ ରାଷ୍ଟ୍ରାୟତ ଉଦ୍ୟୋଗ ସୌଧଗୁଡ଼ିକର ଆଲୋକୀକରଣ, ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ସଫେଇ ଓ ମାଲ୍ୟାର୍ପଣ ନେଇ ଆଲୋଚନା କରାଯାଇଥିଲା । ଦେଶର ପ୍ରମୁଖ ସ୍ଥାନ ନୂଆଦିଲ୍ଲୀ ଠାରେ ପ୍ରମୁଖ ଆବାସିକ ଆୟୁକ୍ତ ଏବଂ କୋଲକାତା, ମୁମ୍ବାଇ, ଚେନ୍ନାଇ ଆଦିଠାରେ ସ୍ଥାନୀୟ ଓଡ଼ିଆ ସମାଜ ସହଯୋଗରେ ଓଡ଼ିଶା ଦିବସ ପାଳନ ହେବ ।
ଏପ୍ରିଲ ୧ ଓଡ଼ିଶା ଦିବସରୁ ଆରମ୍ଭ କରି ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ଅସ୍ମିତାକୁ ଆଧାର କରି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂପୃକ୍ତ ବିଭାଗମାନଙ୍କ ସହଯୋଗରେ ବିଭିନ୍ନ ଦିବସରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡଃ. ଏନ୍.ତିରୁମାଳା ନାଏକ, ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବଲଓ୍ୱନ୍ତ ସିଂ, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଅନୂଜ କୁମାର ଦାସ ପଟ୍ଟନାୟକ, ନିର୍ଦ୍ଦେଶକ, ବୈଷୟିକ ଶ୍ରୀ ଗୁରବୀର ସିଂଙ୍କ ସମେତ ସଂପୃକ୍ତ ଅନ୍ୟ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


