ନୂଆପଡ଼ା:ରିପୋର୍ଟ(ସୁରେଶ ଦଣ୍ଡସେନା)
ନୂଆପଡ଼ା ଉପ-କାରାଗାରରୁ ଜଣେ ଦଣ୍ଡାଦେଶପ୍ରାପ୍ତ କଏଦୀ ଫେରାର ହୋଇଯିବା ଘଟଣାକୁ ନେଇ ଆଜି ସକାଳୁ ତୀବ୍ର ଉତ୍ତେଜ ଦେଖାଦେଇଛି। କାରାଗାର ପରିସରରେ ନିୟମିତ ସଫେଇ କାର୍ଯ୍ୟ ଚାଲିଥିବା ସମୟରେ ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେଇ କଏଦୀ ଜଣକ କୌଶଳକ୍ରମେ ଜେଲ ହାଜତରୁ ଚମ୍ପଟ ମାରିଥିବା ଜଣାପଡ଼ିଛି।ଫେରାର କଏଦୀ ଜଣକ ସିନାପାଲି ଥାନା ଅନ୍ତର୍ଗତ କାନ୍ଦୁଲକୋନା ଗ୍ରାମର ବିଶ୍ବବିହାରୀ ମାଝୀ (୩୦) ବୋଲି ଚିହ୍ନଟ ହୋଇଛି। ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ସକାଳ ପ୍ରାୟ ୮ଟା ସମୟରେ ସଫେଇ କାର୍ଯ୍ୟ ଚାଲିଥିବା ସୁଯୋଗ ନେଇ ସେ ଫେରାର ହୋଇଥିଲା।ସୂଚନା ଅନୁସାରେ, ୨୦୨୧ ମସିହାର ଏକ ଦୁଷ୍କର୍ମ ମାମଲାରେ ବିଶ୍ବବିହାରୀ ଦୋଷୀ ସାବ୍ୟସ୍ତ ହୋଇଥିଲା। ଏହି ମାମଲାରେ ୨୦୨୩ ମସିହାରେ ନୂଆପଡ଼ା କୋର୍ଟ ତାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଥିଲେ।ଘଟଣାକୁ ନେଇ ଜେଲ ସୁପରିଟେଣ୍ଡେଣ୍ଟ ବଳରାମ ବିଶି ମାଝୀ କଏଦୀ ଫେରାର ହୋଇଥିବା ଘଟଣାକୁ ସ୍ବୀକାର କରିବା ସହ ତୁରନ୍ତ ହାଇ ଆଲର୍ଟ ଜାରି କରାଯାଇଥିବା କହିଛନ୍ତି। ଫେରାର କଏଦୀକୁ ଧରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଜୋରଦାର ତଲାସୀ ଅଭିଯାନ ଆରମ୍ଭ ହୋଇଛି।ତେବେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଉପ-କାରାଗାରରୁ ଜଣେ ଦଣ୍ଡାଦେଶପ୍ରାପ୍ତ କଏଦୀ କିପରି ଫେରାର ହେବାରେ ସଫଳ ହେଲା, ତାହାକୁ ନେଇ ଜେଲ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ଘଟଣା ପଛରେ କାହାର ଅବହେଳା ରହିଛି, ସେନେଇ ପୁଙ୍ଖାନୁପୁଙ୍ଖ ତଦନ୍ନ କରାଯିବ ବୋଲି ଅର୍ଧକାରୀମାନେ କହିଛନ୍ତି
